ପ୍ୟାରିସର ମ୍ୟୁଜିୟମରୁ ନାପୋଲିଅନଙ୍କ ମୂଲ୍ୟବାନ ଅଳଙ୍କାର ଲୁଟିନେଲେ ଚୋର

ନୂଆଦିଲ୍ଲୀ,୧୯ା୧୦: ପ୍ୟାରିସର ବିଶ୍ୱବିଖ୍ୟାତ ଲୁଭ୍ର ମ୍ୟୁଜିୟମ୍, ଯେଉଁଠାରେ ମୋନାଲିସା ଭଳି ଐତିହାସିକ ସମ୍ପଦ ରହିଛି, ରବିବାର ଏକ ଚୋରୀ ଘଟଣା ପରେ ବନ୍ଦ ରହିଛି। ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ରଚିଡା ଦାତି ସକାଳେ ଏହି ଚୋରୀ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଜି ସକାଳେ ଲୁଭ୍ର ମ୍ୟୁଜିୟମ୍ ଖୋଲିବା ସମୟରେ ଏକ ଚୋରୀ ଘଟିଛି। କେହି ଆହତ ହୋଇନାହାନ୍ତି। ମୁଁ ମ୍ୟୁଜିୟମ୍ କର୍ମଚାରୀ ଓ ପୋଲିସଙ୍କ ସହ ଘଟଣାସ୍ଥଳରେ ଅଛି।”

ପୋଲିସ ସୂତ୍ର ଅନୁଯାୟୀ, ଚୋରମାନେ ସ୍କୁଟରରେ ଆସି ଛୋଟ ଚେନ୍‌ସରେ ବ୍ୟବହାର କରି ମ୍ୟୁଜିୟମ୍‌ର ଏକ ମାଲବାହୀ ଲିଫ୍ଟ ଦେଇ ଅପୋଲୋ ଗ୍ୟାଲେରୀରେ ପହଞ୍ଚିଥିଲେ। ସେମାନେ ସେନ୍ ନଦୀ ଆଡ଼କୁ ନିର୍ମାଣାଧୀନ ମୁଖ୍ୟ ପ୍ରବେଶପଥ ଦେଇ ପଶି ତାଲା ଭାଙ୍ଗି ନାପୋଲିଅନ ଓ ମହାରାଣୀଙ୍କ ଅଳଙ୍କାର ସଂଗ୍ରହରୁ ନଅଟି ମୂଲ୍ୟବାନ ଅଳଙ୍କାର ଚୋରି କରିଥିଲେ। ଏହି ଚୋରୀ ମାତ୍ର ସାତ ମିନିଟ୍‌ରେ ସମ୍ପନ୍ନ ହୋଇଥିଲା ବୋଲି ଫ୍ରାନ୍ସର ଗୃହମନ୍ତ୍ରୀ ଲରେଂଟ ନୁନେଜ କହିଛନ୍ତି।

ମ୍ୟୁଜିୟମ୍ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି, କିନ୍ତୁ “ଅସାଧାରଣ କାରଣ” ଦର୍ଶାଇ ମ୍ୟୁଜିୟମ୍ ଆଜି ବନ୍ଦ ରହିଛି। ଚୋରୀ ହୋଇଥିବା ଅଳଙ୍କାରର ମୂଲ୍ୟ ଏପର୍ଯ୍ୟନ୍ତ ମୂଲ୍ୟାଙ୍କନ କରାଯାଉଛି। ମ୍ୟୁଜିୟମ୍ ବାହାରେ ବ୍ୟାରିକେଡ୍ ଲଗାଯାଇଛି ଓ ଆଖପାଖରେ ଟ୍ରାଫିକ ନିୟନ୍ତ୍ରଣ କରାଯାଉଛି।

Dharitri – Odisha’s No.1 Odia Daily

Share