ନୂଆଦିଲ୍ଲୀ,୬।୨: ‘ପରୀକ୍ଷା ପେ ଚର୍ଚ୍ଚା’ର ୯ମ ସଂସ୍କରଣ ଆରମ୍ଭ ହୋଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ସିଧାସଳଖ ଆଲୋଚନା କରଛନ୍ତି। ଏହି ଅବସରରେ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ଖାଦ୍ୟ ଯେମିତି ଅଲଗା, ପାଠପଢା ଶୈଳୀ ବି ଅଲଗା। ନିଜ ଶୈଳୀରେ ପାଠ ପଢ। ପ୍ରଥମେ ନିଜ ଅନୁଭବକୁ ସମ୍ମାନ ଦେଇ ଆଗକୁ ବଢିବାକୁ ଚେଷ୍ଟା କର। ନିଜ ରୁଚି ଅନୁସାରେ କାମ କରିବା ସହ ପାଠପଢାରେ ମନ ଦିଅ।
ସେହିପରି ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ଗଢିବାକୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଟାଇମ ମ୍ୟାନେଜମେଣ୍ଟ ଓ ବ୍ୟାୟାମ ଉପରେ ମୋଦି ଫୋକସ କରିଛନ୍ତି। ସେ କହିଛନ୍ତି, ନିଜ ଶୈଳୀରେ ପାଠ ପଢିବା ସହ ସର୍ବଦା ଉତ୍ତମ ଅଭ୍ୟାସ ରଖ। ପାଠ ପଢିବା ସହ ଆଉଟ ନଲେଜ ଆହୋରଣ କରିବା ଦରକାର। ଶିକ୍ଷା ଓ ସ୍କିଲ କ୍ୟାରିୟରକୁ ଅଣଦେଖା କର ନାହିଁ। ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଓ ବ୍ୟାୟାମ ଜରୁରୀ।
ନିଦ ଓ ଯୋଗ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶିକ୍ଷାକୁ ବୋଝ ବଦଳରେ ଉପଭୋଗ କରିବା ଦରକାର। ମାର୍କ ଓ ପରୀକ୍ଷାରେ ନିଜକୁ ସୀମିତ ନ ରହିବା ଉଚିତ୍। ବ୍ୟକ୍ତିଗତ ଦକ୍ଷତାକୁ ଚିହ୍ନି ପାଠ ପଢିଲେ ସଫଳତା ନିଶ୍ଚିତ ମିଳିବ। ପ୍ରତି ପିଲାଙ୍କ ସଫଳତା ହିଁ ଅଭିଭାବକଙ୍କ ସମ୍ମାନ ହୋଇଥାଏ। ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଟିପ୍ସ ଦେଇଛନ୍ତି। ୪ କୋଟିରୁ ଅଧିକ ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।