ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ ବିଦ୍ୟାଳୟକୁ ଯାଇ ସେଠାରୁ ଫେରିଆସିଥିବା ଦେଖିବାକୁ ମିଳିଛି। ଦାବି ପୂରଣ ପାଇଁ ଚଳିତ ମାସ ୮ତାରିଖରୁ ଶିକ୍ଷୟିତ୍ରୀ ଶିକ୍ଷକମାନେ ଛୁଟିରେ ରହିଛନ୍ତି। ଫଳରେ ବିଦ୍ୟାଳୟର ଦାୟିତ୍ୱରେ ଥିବା ଅଧ୍ୟକ୍ଷା ଗୀତରାଣୀ ବୁଦ୍ଧିଆ ଉପସ୍ଥିତ ଥିଲେ। କିନ୍ତୁ ସେ କେବଳ ବିଦ୍ୟାଳୟରେ ଅଧ୍ୟାପନା କରୁଥିବା ବେଳେ ସ୍କୁଲରେ ଛାତ୍ରୀଛାତ୍ରଙ୍କ ପାଇଁ ରନ୍ଧାଖାଦ୍ୟ ପ୍ରସ୍ତୁତ ହୋଇ ନ ଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷା କହିଛନ୍ତି ଯେ ଶିକ୍ଷୟିତ୍ରୀ ଶିକ୍ଷକ ଛୁଟିରେ ରହିଛନ୍ତି ଏବଂ ଖାଦ୍ୟ ପ୍ରସ୍ତୁତ କରୁଥିବା ରୋଷେଇଆମାନେ ମଧ୍ୟ ଆନ୍ଦୋଳନରେ ଅଛନ୍ତି । ଏଣୁ ଛାତ୍ରୀଛାତ୍ରମାନେ ଟିଫିନ ନେଇ ଆସିବା ପାଇଁ ପୂର୍ବରୁ ସେ ଜଣାଇଛନ୍ତି। ଅନ୍ୟପକ୍ଷରେ ଶିକ୍ଷକ ଅଭିଭାବକ ସଂଘର ସଭାପତି ସରୋଜ ସାହୁ କହିଛନ୍ତି ଯେ, ଗତ ୫ ତାରିଖରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ସାକ୍ଷାତ କରିଥିଲେ। ବିଦ୍ୟାଳୟରେ ମ୍ୟୁଜିକ, ଖେଳ, କଳା ଏବଂ କିରାଣି ପଦବୀ ଖାଲି ରହିଛି। ୮ ତାରିଖରୁ ଶିକ୍ଷୟିତ୍ରୀ ଶିକ୍ଷକ ଛୁଟିରେ ରହୁଥିବାରୁ ବିକଳ୍ପ ବ୍ୟବସ୍ଥା ପାଇଁ ଜଣାଇଥିଲ। ସମସ୍ତ ସରକାରୀ ବିଦ୍ୟାଳୟରେ ୮ଶ୍ରେଣୀର ଛାତ୍ରୀଛାତ୍ର ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷା ଦେଇଥାନ୍ତି। ଏଥିରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରମାନେ ୪ ବର୍ଷ ପର୍ଯ୍ୟନ୍ତ ୧ ହଜାର ଟଙ୍କା ଲେଖାଏ ପାଇଥାନ୍ତି। କିନ୍ତୁ ଆଦର୍ଶ ବିଦ୍ୟାଳୟକୁ ଏଥିରୁ ବାଦ ଦିଆଯାଇଛି।

 

Dharitri – Odisha’s No.1 Odia Daily

 

Share