ଭଣ୍ଡାରିପୋଖରୀ,୧୪।୧(ରାଜେନ୍ଦ୍ର ଶତପଥୀ):ଋଣ ଶୁଝିବା ପାଇଁ ନିଜ ମାସକର ଝିଅକୁ ଅନ୍ୟକୁ ବିକ୍ରି କରିଦେଲେ। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବୟାବନାପୁର ଗ୍ରାମରେ। ଏ ସମ୍ପର୍କରେ ଶିଶୁକନ୍ୟାଙ୍କ ଜେଜେମା ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ୩୫ହଜାର ଟଙ୍କାରେ ଝିଅକୁ ବିକ୍ରି କରିଥିବା ନେଇ ଦମ୍ପତି ମଧ୍ୟ ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଶିଶୁକନ୍ୟାର ଜେଜେମା’ ସାବିତ୍ରୀ ଦାସ ଅଭିଯୋଗରେ
ଦର୍ଶାଇଛନ୍ତି ଯେ, ସୋମବାର ସକାଳ ସାଢ଼େ ୯ଟା ବେଳେ ତାଙ୍କ ପୁଅ ସିପୁ ଓ ବୋହୂ ରୀନା ମାସକର ଶିଶୁକନ୍ୟାକୁ ନେଇ ଘରୁ ବାହାରି ଯାଇଥିଲେ। ରାତି ୮ଟା ବେଳକୁ ପୁଅବୋହୂ ଘରକୁ ଫେରିଥିବା ବେଳେ ତାଙ୍କ ନାତୁଣୀ ସାଙ୍ଗରେ ନ ଥିଲା। ସେ ନାତୁଣୀ ସମ୍ପର୍କରେ ପୁଅବୋହୂଙ୍କୁ ପଚାରିବାରୁ ସେମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଧମକ ଦେଇଥିଲେ। ତାଙ୍କ ଘରେ ବୋହୂ ରୀନାଙ୍କ ମା’(ସମୁଦୁଣୀ) ରହୁଛନ୍ତି। ପୁଅବୋହୂ ଓ ସମୁଦୁଣୀ ମିଳିତ ଭାବେ ଷଡ଼ଯନ୍ତ୍ର କରି ନାତୁଣୀକୁ ବିକ୍ରି କରିଛନ୍ତି କିମ୍ବା ମାରି ଦେଇଛନ୍ତି ବୋଲି ସନ୍ଦେହ କରି ସେ ଥାନାରେ ଅଭିଯୋଗ କରିଥିବା ସାବିତ୍ରୀ କହିଛନ୍ତି। ଏନେଇ ଏକ ମାମଲା(ନଂ.୧୭/୨୬) ରୁଜୁ କରାଯାଇ ଶିଶୁକନ୍ୟାକୁ ଉଦ୍ଧାର ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି ବୋଲି ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକ କହିଛନ୍ତି।