ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ବଘିଆପଡ଼ା ୩୧।୧୦(ଶ୍ରୀକାନ୍ତ ସାହୁ): ବୌଦ୍ଧ ବ୍ଲକ ବ୍ରାହ୍ମଣୀପାଲି ପଞ୍ଚାୟତ ବିଜାପଦର୍‌ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକମାନେ ଶୁକ୍ରବାର ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଏନେଇ ପାଠପଢା ଠପ୍‌ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବିଜାପଦର୍‌ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୨୫ ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ ମାତ୍ର ୫ଜଣ ଶିକ୍ଷକ ଅଛନ୍ତି। ସେମାନଙ୍କ ମଧ୍ୟରେ ଅରୁଣ କୁମାର ସାହୁ ନାମକ ଜଣେ ଶିକ୍ଷକଙ୍କୁ ଧାନବଳଶ ସ୍କୁଲକୁ ବିଇଓ କାର୍ଯ୍ୟାଳୟରୁ ବଦଳି କରାଯାଇଛି। ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଛାତ୍ରୀଛାତ୍ରଙ୍କ ସହ ଧାରଣାରେ ବସିଛନ୍ତି l ଶିକ୍ଷକଙ୍କ ବଦଳି ବାତିଲ କରା ନ ଗଲେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଫାଟକରେ ତାଲା ପକାଇ ପ୍ରତିବାଦ ଜାରି ରହିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।