ପାଣି ପାଇଁ ପାରଳାଖେମୁଣ୍ଡି ସେରଙ୍ଗ ମୁଖ୍ୟ ରାସ୍ତା ଅବରୋଧ; ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ପାଣି ସମସ୍ୟା

ଗଜପତି,୪।୩(ଗିରିଧାରୀ ପରିଛା): ସରକାର ଘରେ ଘରେ ପାଇପ୍‌ ଦ୍ୱାରା ପାନୀୟ ଜଳ ଯୋଗାଇ ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ହେଲେ ଦୀପତଳ ଅନ୍ଧାର ଭଳି ଦେଖିବାକୁ ମିଳିଛି ଗଜପତି ଜିଲା ଗୁମ୍ମା ପଞ୍ଚାୟତ ଅଧିନସ୍ତ ବ୍ଲକ କାର୍ଯ୍ୟାଳୟର ଅତି ନିକଟରେ ଥିବା କୃଷ୍ଣଚନ୍ଦ୍ର ପୁର ଗ୍ରାମରେ। ମାସମାସ ହେଲା ପାଇପ୍‌ଯୋଗେ ପାନୀୟଜଳ ଯୋଗାଣରେ ସମସ୍ୟା ଯୋଗୁଁ ଗ୍ରାମବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେଣୁ ମଙ୍ଗଳବାର କୃଷ୍ଣଚନ୍ଦ୍ର ପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପାରଳାଖେମୁଣ୍ଡି ସେରଙ୍ଗ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଲୋକେ ଗରା, ମାଠିଆ ଧରି ରାସ୍ତାରେ ବସି ରହିବାରୁ ଗାଡ଼ିମୋଟର ଚଳାଚଳ ଠପ୍‌ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ି ଅଟକି ରହିଥିଲା ଯାହାଫଳରେ ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା।

ବସୁଧା ଯୋଜନାରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇ ଗ୍ରାମରେ ଦୁଇଟି ପାଣି ଟେଙ୍କ ଦ୍ଵାରା ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ କରାଯାଉଛି। କିନ୍ତୁ କିଛି ମାସ ହେଲା ଜଳ ଯୋଗାଣ ସଠିକ୍‌ ଭାବେ ହେଉନାହିଁ। କେଉଁଦିନ ଅଳ୍ପ ସମୟ ପାଇଁ ପାଣି ଆସୁଛି ତ ଆଉ କେଉଁଦିନ ଆଦୌ ପାଣି ଆସୁନାହିଁ। ଯାହାଦ୍ୱାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ସକାଳେ ରାସ୍ତା ଅବରୋଧ କରିଥିଲେ।

Share