ଲିଡ୍ସ,୨୪ା୬: ଭାରତର ଉଇକେଟ୍କିପର-ବ୍ୟାଟର ରିଷଭ ପନ୍ତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଦ୍ୱାରା ଭର୍ତ୍ସିତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିବସ ଖେଳ ବେଳେ ସେ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିଥିଲେ। ଏହାଦ୍ୱାରା ସେ ଆଇସିସି ଆଚରଣବିଧିର ଧାରା-୧ ଉଲ୍ଲଂଘନ କରିଛନ୍ତି। ୨୭ ବର୍ଷୀୟ ପନ୍ତ ମ୍ୟାଚ୍ର ଉଭୟ ଇନିଂସରେ ଶତକ ହାସଲ କରିଛନ୍ତି। ପନ୍ତଙ୍କୁ ଭର୍ତ୍ସନା କରିବା ସହ ୨୪ ମାସ ମଧ୍ୟରେ ଏହା ତାଙ୍କର ପ୍ରଥମ ଅପରାଧ ହୋଇଥିବାରୁ ତାଙ୍କ ଶୃଙ୍ଖଳାଗତ ଖାତାରେ ଗୋଟିଏ ଡିମେରିଟ୍ ପଏଣ୍ଟ ଯୋଗକରାଯାଇଛି।
ଏହି ଘଟଣା ଇଂଲଣ୍ଡ ଇନିଂସର ୬୧ତମ ଓଭରରେ ହ୍ୟାରୀ ବ୍ରୁକ୍ ଓ ବେନ୍ ଷ୍ଟୋକ୍ସ ବ୍ୟାଟିଂ କରୁଥିବା ସମୟରେ ବଲ୍ର କଣ୍ଡିଶନକୁ ନେଇ ଅମ୍ପାୟରଙ୍କ ସହ ଆଲୋଚନା ବେଳେ ଦେଖିବାକୁ ମିଳିଥିଲା। ଅମ୍ପାୟର ବଲ୍ର ଗେଜ୍କୁ ଯାଞ୍ଚ କରିବା ପରେ ଏହାକୁ ବଦଳାଇବା ଲାଗି ମନା କରିଦେବାରୁ ଉଇକେଟ୍କିପର ଜଣକ ଅସହମତି ପ୍ରକାଶ କରିବା ସହ ଅମ୍ପାୟରଙ୍କ ସାମ୍ନାରେ ବଲ୍କୁ ଗ୍ରାଉଣ୍ଡ ଭିତରକୁ ଫିଙ୍ଗି ଦେଇଥିଲେ। ପନ୍ତ ତାଙ୍କ ଦୋଷ ସ୍ବୀକାର କରିନେବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକ ପଡ଼ି ନ ଥିଲା।