ଦୁର୍ଘଟଣା ପରେ ଲାଗିଥିଲା ଯେମିତି ମୋର ଶେଷ ସମୟ ଆସିଯାଇଛି: ପନ୍ତ

ନୂଆଦିଲ୍ଲୀ,୩୦।୧: ଟିମ୍‌ ଇଣ୍ଡିଆର ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଡିସେମ୍ବର ୨୦୨୨ରେ ଭୟଙ୍କର କାର୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହାର ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଥିଲେ। ଏବେ ଦିନ ବିତିବା ସାଙ୍ଗକୁ ପନ୍ତ ସୁସ୍ଥ ହୋଇଆସିଲେଣି। ଏପରିକି ଖୁବ୍‌ଶୀଘ୍ର ତାଙ୍କୁ ଖେଳୁଥିବା ଦେଖାଯିବ ବୋଲି କୁହାଯାଉଛି। ତେବେ ପନ୍ତ ନିକଟରେ ନିଜର ଦୁର୍ଘଟଣାକୁ ନେଇ ମୁହଁ ଖୋଲିଛନ୍ତି।

ଷ୍ଟାର ସ୍ପୋଟର୍‌ସକୁ ପନ୍ତ କହିଛନ୍ତି, ୨୦୨୨ ଡିସେମ୍ବର ୨୦ ସକାଳେ ଏକ ଡିଭାଇଡରକୁ ଧକ୍କା ଦେଇ ମୋର ମର୍ସଡିଜ୍‌ କାର୍‌ରେ ନିଆଁ ଲାଗି ଯାଇଥିଲା। ଏହାପରେ ଜୀବନରେ ପ୍ରଥମ ଥର ପାଇଁ ଲାଗିଥିଲା ଯେପରି ଦୁନିଆରେ ମୋର ଶେଷ ସମୟ ଆସିଯାଇଛି। କହିବାକୁ ଗଲେ ମୋତେ ମୃତ୍ୟୁ ସୁନିଶ୍ଚିତ ବୋଲି ଲାଗିଥିଲା। ହେଲେ ମୁଁ ଭାଗ୍ୟବାନ ଥିଲି ଯେ ମୋର କ୍ଷତ ଗମ୍ଭୀର ନ ଥିଲା। ମୋତେ କେହି ବଞ୍ଚାଇଥିବା ଅନୁଭବ କରିଥିଲି। ଡାକ୍ତରଙ୍କୁ ପଚାରିବାରେ ୧୬ରୁ ୧୮ ମାସ ମଧ୍ୟରେ ଠିକ୍‌ ହୋଇଯିବି ବୋଲି କହିଥିଲେ। ହେଲେ ଏହି ଅବଧିକୁ କମ୍‌ କରିବାକୁ ମୋତେ ପରିଶ୍ରମ କରିବାକୁ ହେବ ବୋଲି ଜାଣିଥିଲି ବୋଲି ସେ କହିଛନ୍ତି।

ତେବେ ପନ୍ତ ଦୁର୍ଘଟଣା ପରେ ମୁମ୍ବାଇରେ ନିଜର ସର୍ଜରୀ କରାଇଥିଲେ। ଆଗାମୀ ଆଇପିଏଲ୍‌ ୨୦୨୪ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବେ ବୋଲି ଆଶା କରାଯାଉଛି।

Share
Tags: sports