ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ: ଦେଲେ ବଡ଼ ପ୍ରତିଶ୍ରୁତି, ୧୫୦ରୁ କମ୍‌ ଥିବା ଗାଁକୁ ମିଳିବ…

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ସୋମବାର କୋକସରା ବ୍ଲକ ସଦର ମହକୁମାସ୍ଥିତ ଗୁଡହାଣ୍ଡି ମଞ୍ଚଠାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ। ଏଥିରେ କଳାହାଣ୍ଡି ଜିଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମନ୍ତ୍ରୀ ନାୟକ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଆମପାଣିଠାରେ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହାପରେ କଳାହାଣ୍ଡିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ମନ୍ଦିର ଦର୍ଶନ କରିବା ପରେ କୋକସରାସ୍ଥିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ନାୟକ ଯୋଗ ଦେଇଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲାପରିଷଦ କଳାହାଣ୍ଡି ଦୟାମୟ ପାଢ଼ୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମନ୍ତ୍ରୀ ନାୟକ ଧର୍ମଗଡ, କୋକସରା, କଳମପୁର, ଜୟପାଟଣା ଓ ଜୁନାଗଡ଼ ବ୍ଲକ ନିମନ୍ତେ ୩୯. ୯୨ କୋଟି ଅଟକଳ ମୂଲ୍ୟରେ ୧୭୨ଟି ପ୍ରକଳ୍ପର ଲୋକାର୍ପଣ ଓ ୨୪୬. ୪୫ କୋଟି ଅଟକଳ ମୂଲ୍ୟର ୨୬୯ ଗୋଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଡିସେମ୍ବର ସୁଦ୍ଧା ସମଗ୍ର ଜିଲାରେ ପାନୀୟ ଜଳ ଯୋଗାଇବୁ ବୋଲି କହିଛନ୍ତି। ଏହା ସହ ୧୫୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ, ୧୫୦ରୁ କମ୍‌ ଥିବା ଗାଁକୁ ମେଟାଲିଙ୍ଗ ରାସ୍ତା, ଲୋକଙ୍କ ବହୁ ମତ ଆକାରରେ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ ଉଦ୍‌ବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତନ୍ମୟ ଦରୱାନ, ଧର୍ମଗଡ଼ ଉପଜିଲାପାଳ ପ୍ରେକ୍ଷା ଅଗ୍ରୱାଲ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରୀତା ଅଗ୍ରୱାଲ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ବିଡ଼ିଓ, ଡ. ହିମାଞ୍ଚଳ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଓମ୍‌ଫେଡ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧିକାରୀ, କର୍ମଚାରୀ, ନିର୍ବାଚିତ ସଭ୍ୟସଭ୍ୟା ସମେତ ପ୍ରତ୍ୟେକ ବ୍ଲକରୁ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

Dharitri – The Largest & Most Trusted Odia Daily