ଇସ୍ତଫା ଦେଲେ ୟୁପି ସରକାରଙ୍କ ପଞ୍ଚାୟତ ରାଜମନ୍ତ୍ରୀ

ଲକ୍ଷ୍ନୌ,୩୦।୮: ଉତ୍ତରପ୍ରଦେଶ ସରକାରରେ ଥିବା ପଞ୍ଚାୟତ ରାଜମନ୍ତ୍ରୀ ଭୂପେନ୍ଦ୍ର ଚୌଧୁରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏନେଇ ଭୂପେନ୍ଦ୍ର ନିଜ ଫେସ୍‌ବୁକ୍‌ ପୋଷ୍ଟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଭାଜପାର ପ୍ରଦେଶ ଅଧ୍ୟକ୍ଷଙ୍କ ଦାୟିତ୍ୱ ତୁଲାଇବା ପାଇଁ ମଙ୍ଗଳବାର କ୍ୟାବିନେଟ ପଦରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କର ପ୍ରଥମ ଏବଂ ଦ୍ୱିତୀୟ କାର୍ଯ୍ୟକାଳରେ ରାଜ୍ୟ ମନ୍ତ୍ରୀ ତଥା କ୍ୟାବିନେଟ ମନ୍ତ୍ରୀର ଦାୟିତ୍ୱ ହେଉ କିମ୍ବା ଦଳ ପକ୍ଷରୁ ଦିଆଯାଇଥିବା ସମସ୍ତ ଦାୟିତ୍ୱ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଭାଜପା ‘ଜଣେ ବ୍ୟକ୍ତି ଗୋଟିଏ ପୋଷ୍ଟ’ ନୀତିରେ କାର୍ଯ୍ୟ କରେ ଏବଂ ଏହି କାରଣରୁ ସେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସମ୍ମୁଖରେ ଆଗକୁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିଛି ବୋଲି ଭୁପେନ୍ଦ୍ର କହିଛନ୍ତି। ସୂଚନା ମୁତାବକ, ନିକଟରେ ଭୁପେନ୍ଦ୍ର ଚୌଧୁରୀ ଭାଜପାର ୟୁପି ୟୁନିଟର ନୂତନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ରାଜଧାନୀ ଲକ୍ଷ୍ନୌ ସ୍ଥିତ ସୋମବାର ଭାଜପା କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।