ଥୁଆମୂଳ ରାମପୁର,୧୭।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମ ପଞ୍ଚାୟତ ଦୀର୍ଘ ବର୍ଷ ଅବ୍ୟବସ୍ଥା ଘେରରେ ରହିଛି। ବର୍ତ୍ତମାନ ଲକ୍ଷାଧିକ ଟଙ୍କାରେ ଏହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୃହର ମରାମତି କାର୍ଯ୍ୟ ଚାଲୁରହିଥିଲେ ମଧ୍ୟ ନିର୍ମାଣସ୍ଥଳରେ କାମକୁ ନେଇ ସୂଚନା ଫଳକ ଟିଏ ମଧ୍ୟ ଲଗା ଯାଇପାରି ନ ଥିବା ଦେଖିବାକୁ ମିଳିଛି।
ସରକାରଙ୍କ ନିୟମ ଅନୁସାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରଥମେ ସୂଚନା ଫଳକର ଆବଶ୍ୟକତା ପଡିଥାଏ। କାରଣ ଜନସାଧାରଣ ଏହା ଉପରେ ନିହାତି ଭାବରେ ଅବଗତ ହେବା ଜରୁରୀ ଅଛି। ଏପରି ସ୍ଥଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ କାର୍ଯ୍ୟ ଅଟେ। ହେଲେ ଥୁଆମୂଳ ରାମପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗ୍ରାମପଞ୍ଚାୟତ ପକ୍ଷରୁ ପ୍ରାୟ ୨ ଲକ୍ଷ ୫୦ ହାଜର ଟଙ୍କାରୁ ଊଦ୍ଧର୍ବ ଟଙ୍କା ଅଟକଳରେ ଉକ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗୃହ ମରାମତି ଚାଲିଛି ହେଲେ ଏଥିରେ ସୂଚନାଫଳକ ଲଗା ଯାଇପାରିନାହିଁ। ଫଳରେ ଜନସାଧାରଣ ଏହି କାମ କେଉଁ ପାଣ୍ଠିରୁ ଅନୁଦାନ ଆସି ଏଥିରେ କେତେ ଖର୍ଚ୍ଚ କରାଯାଉଛି, କେବେ ଆରମ୍ଭ ହେଲା କେବେ ଶେଷ ହେବାକୁ ଯାଉଛି, କେଉଁ ଠିକାଦାରଙ୍କ ଦ୍ବାରା କାର୍ଯ୍ୟ କରାଯାଉଛି ତାହା ଜାଣିବା ଠାରୁ ଜନସାଧାରଣ ବଞ୍ଚିତ ରହିଛନ୍ତି। ତେବେ ଏହା ଉପରେ ବ୍ଳକ ପ୍ରଶାସନ କେଉଁ ଭଳି ଭାବରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସେନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁଙ୍କୁ ପଚାରିଲେ ମୁ ଏ ବିଷୟରେ କିଛି କହିପାରିବି ନାହିଁ ଆପଣ ସରପଞ୍ଚଙ୍କ ପଚାରନ୍ତୁ ବୋଲି ଉତ୍ତର ରଖିଥିବା ବେଳେ ସରପଞ୍ଚ ବିଜୟା ମାଝିଙ୍କୁ ପଚାରିଲେ ମୁଁ କିଛି ଜାଣି ନାହିଁ ମୋ ସ୍ବାମୀ ସବୁ ବୁଝିଛନ୍ତି ତାଙ୍କୁ ପଚାରନ୍ତୁ ବୋଲି କହିଛନ୍ତି l