ସରଗରମ ହେବ ପଞ୍ଚାୟତ ନିର୍ବାଚନ: ଚିତ୍ତରଞ୍ଜନ,ବିକାଶଙ୍କୁ ଗୁରୁ ଦାୟିତ୍ୱ

ହାଟଡିହୀ,୨୭।୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ଚିତ୍ତରଞ୍ଜନ ପାତ୍ରଙ୍କୁ ଜିଲା କଂଗ୍ରେସ କମିଟିର ଉପସଭାପତି ଭାବେ ଦାୟିତ୍ୱ ମିଳିଛ। ସେହିପରି ସୋସୋ ଅଞ୍ଚଳର ବିକାଶ ବଳଙ୍କୁ ସମ୍ପାଦକ ଦାୟିତ୍ୱ ମିଳିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଉଭୟ ହାଟଡିହୀ ଅଞ୍ଚଳର ହୋଇଥିବାରୁ ରାଜନୀତି ଯୁଦ୍ଧ ଏକ ପ୍ରକାରର ସରଗରମ ହେବ ବୋଲି ସମ୍ଭାବନା ସୃଷ୍ଟି ହେଉଛି। ନୂତନ ଭାବେ ଜିଲା ଦାୟିତ୍ୱ ମିଳିଥିବାରୁ ଚିତ୍ତରଞ୍ଜନ ଏବଂ ବିକାଶ ଉଭୟ ନିଜର ନିର୍ବାଚନମଣ୍ଡଳୀ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏବଂ ଅନ୍ୟ ନେତୃ ମଣ୍ଡଳୀକୁ ଶୁଭେଚ୍ଛା ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତ।
ସୂଚନା ଯୋଗ୍ୟ, ଚିତ୍ତରଞ୍ଜନ ୨୦୦୪ରୁ ୨୦୧୧ ପର୍ଯ୍ୟନ୍ତ ହାଟଡିହୀ ବ୍ଲକ ଛାତ୍ର କଂଗ୍ରେସ ସଭାପତି, ୨୦୧୧ ରୁ ୨୦୧୮ ପର୍ଯ୍ୟନ୍ତ ହାଟଡିହୀ ବ୍ଲକ ଯୁବ କଂଗ୍ରେସ ସଭାପତି,୨୦୧୮ ରୁ ୨୦୨୧ ପର୍ଯ୍ୟନ୍ତ ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି ।
ଚିତ୍ତରଞ୍ଜନ କହିଛନ୍ତି ଯେ, ପୂର୍ବତନ ପିସିସି ସଭାପତି ଜୟଦେବଙ୍କ ବଡ଼ ପୁଅ ସ୍ବର୍ଗତଃ ସଂଗ୍ରାମ କେଶରୀ ଜେନାଙ୍କ ପ୍ରେରଣାରେ ୨୦୦୦ ମସିହାରେ ପ୍ରଥମେ କଂଗ୍ରେସରେ ଯୋଗଦାନ କରିଥିଲେ।ସେବେ ଠାରୁ ବ୍ଲକ କଂଗ୍ରେସ, ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ କମିଟି ଦାୟିତ୍ୱରେ ରହୁଥିଲେ। ଏବେ ଜିଲା ଦାୟିତ୍ୱ ମିଳିଛି । ଦଳକୁ ଆସନ୍ତା ଦିନରେ ଅଧିକରୁ ଅଧିକ ମଜଭୁତ କରିବା ତାଙ୍କର ପ୍ରଥମ କାର୍ଯ୍ୟ ହେବ।