ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ଗାଁ ଉତ୍ସବ ମୁଖର ହୋଇ ପଡିଛି। ଚୈତ୍ର ଶୁକ୍ଳ ଚତୁର୍ଥୀ ରବିବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପଣ୍ତିତ ଅଶୋକ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଶତାଧିକ ମାନସିକଧାରୀ ମହିଳା, ପୁରୁଷ ନିକଟସ୍ଥ କଣ୍ଟେଇଯୋଡ଼ି ନଦୀ ପଠାରେ ପୂଜାର୍ଚ୍ଚନା କରିଥିଲେ। ପରେ କଳସରେ ପାଣି ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଢୋଲ, ସଂକୀର୍ତ୍ତନ ବାଦ୍ୟ ବାଜଣାରେ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞ ସ୍ଥଳରେ ପହଞ୍ଚିଥିଲା।

ଯଜ୍ଞ ସ୍ଥଳରେ ମଣ୍ଡଳାଧିବାସ ଓ ଅଙ୍କୁରାରୋପଣ ପୂଜା ଅନୁଷ୍ଠିତ ହୋଇଥିଲା। ଯଜ୍ଞକର୍ତ୍ତା ରାଜେନ୍ଦ୍ର ପାଢ଼ୀ ଓ ତାଙ୍କ ସହଧର୍ମଣୀଙ୍କ ସମେତ ମହାଯଜ୍ଞ ପରିଚାଳନା କମିଟି କର୍ମକର୍ତ୍ତା ମୁରଲୀଧର ପ୍ରଧାନ, ବିଜୟ ଚନ୍ଦ୍ର ପ୍ରଧାନ, ଜାଗିଲି ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପ୍ରକାଶ ପ୍ରଧାନ, ବିଶ୍ୱନାଥ ପ୍ରଧାନଶ୍‌, ଗଣେଶ ଚନ୍ଦ୍ର ପ୍ରଧାନ, ତପ୍ତ ପଣ୍ଡା, ପ୍ରକାଶ ଚନ୍ଦ୍ର ପ୍ରଧାନ, ହରିଶ୍ଚନ୍ଦ୍ର ପ୍ରଧାନ, ଉତୁରାସି ପ୍ରଧାନଙ୍କ ସମେତ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତା, ସଭ୍ୟଙ୍କ ସମେତ ଆଖପାଖ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଚୈତ୍ର ଶୁକ୍ଳ ପଞ୍ଚମୀ ତିଥି ସୋମବାରଠାରୁ ମହାଯଜ୍ଞ ଆରମ୍ଭ ହୋଇ ଚୈତ୍ର ଶୁକ୍ଳ ନବମୀ ତିଥି ଶୁକ୍ରବାର ପୂର୍ଣ୍ଣାହୁତି ହେବା କାର୍ଯ୍ୟକ୍ରମ ରହିଛି।

Share