Categories: Home Leftଖେଳ

ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନର ଖରାପ ପ୍ରଦର୍ଶନ: ଆକ୍ସନରେ PCB

ଲାହୋର, ୨୪ା୨: ଭାରତ ବିପକ୍ଷରେ ଲଜ୍ଜାଜନକ ପ୍ରଦର୍ଶନ ସହିତ ଚଳିତ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ କ୍ରିକେଟ ଦଳର ଖରାପ ପ୍ରଦର୍ଶନ ଯୋଗୁ ଟୁର୍ନାମେଣ୍ଟ ପରେ ଏହାର କୋଚ୍‌ ଦାୟିତ୍ୱରେ ଥିବା ପୂର୍ବତନ ଫାଷ୍ଟ ବୋଲର ଅକ୍ୱିବ ଜାଭେଦ ଓ ଅନ୍ୟ ସପୋର୍ଟ ଷ୍ଟାଫ୍‌ମାନେ ସେମାନଙ୍କ ପଦବୀରୁ ବିଦା ହେବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ସୂତ୍ରରୁ ଜଣାପଡ଼ିଛି।

ପାକିସ୍ତାନ ଫେବୃଆରୀ ୧୯ରେ କରାଚୀଠାରେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ୬୦ରନ୍‌ରେ ପରାଜିତ ହେବା ପରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ୬ ଉଇକେଟରେ ହାରିଯାଇଛି।

ଗତବର୍ଷଠାରୁ ପିସିବି ଯେପରି ଭାବେ କୋଚ୍‌ ଓ ଚୟନକର୍ତ୍ତାମାନଙ୍କୁ ବଦଳ କରି ଆସୁଛି ଏହି ପଦବୀଗୁଡ଼ିକ ପାଇଁ ନୂଆ ପ୍ରାର୍ଥୀ ବାଛିବା ଦଳ ପାଇଁ ଏକ ଚ୍ୟାଲେଞ୍ଜ ହେବ।

ଗତବର୍ଷ ଶେଷ ଭାଗରେ ଗ୍ୟାରି କର୍ଷ୍ଟେନଙ୍କ ଇସ୍ତଫା ପରେ ପିସିବି ଚେୟାରମ୍ୟାନ ମହମ୍ମଦ ନକ୍‌ଭି ହ୍ବାଇଟ ବଲ୍‌ ଦଳ ପାଇଁ ଆକ୍ୱିବଙ୍କୁ କାମଚଳା ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଥିଲେ। ଅଷ୍ଟ୍ରେଲିଆର ଜାସନ ଗିଲେସ୍ପି ପଦତ୍ୟାଗ କରିବା ପରେ ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜ ପାଇଁ ଆକ୍ୱିବଙ୍କୁ ରେଡ୍‌-ବଲ୍‌ର କାମଚଳା କୋଚ୍‌ ଦାୟିତ୍ୱ ଅର୍ପଣ କରାଯାଇଥିଲା।

ପାକିସ୍ତାନ ମାର୍ଚ୍ଚ ୧୬ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୫ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ଏବଂ ୩ ଅନ୍ତର୍ଜାତୀୟ ଦିନିକିଆ ଖେଳିବା ଲାଗି ନ୍ୟୁଜିଲାଣ୍ଡ ଟୁର୍‌ରେ ଯିବ। ବୋର୍ଡ ଏହା ପୂର୍ବରୁ ନୂଆ ସ୍ଥାୟୀ କୋଚ୍‌ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି।

Share