ଢାକା,୨୫।୮: ଦକ୍ଷିଣ ଏସିଆରେ ବିଚ୍ଛିନ୍ନ ହୋଇଥିବା ପାକିସ୍ତାନ ଏବେ ବାଂଲାଦେଶ ଆଡକୁ ବନ୍ଧୁତାର ହାତ ବଢ଼ାଉଛି। କିନ୍ତୁ ବାଂଲାଦେଶ ସ୍ପଷ୍ଟ କରିଛି ଯେ କୌଣସି ଚୁକ୍ତି ପୂର୍ବରୁ ପାକିସ୍ତାନକୁ ୧୯୭୧ ମସିହାର ଗଣହତ୍ୟା ପାଇଁ କ୍ଷମା ମାଗିବାକୁ ପଡିବ।
ବାଂଲାଦେଶ ୧୯୭୧ ମସିହାର ଗଣହତ୍ୟା ପାଇଁ ପାକିସ୍ତାନଠାରୁ ଆନୁଷ୍ଠାନିକ କ୍ଷମା ମାଗିଛି। ରବିବାର ଢାକାରେ ଅନୁଷ୍ଠିତ ଏକ ଦ୍ୱିପାକ୍ଷିକ ବୈଠକରେ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୌହିଦ ହୁସେନ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ସମ୍ମୁଖରେ ଏହି ଦାବି ରଖିଛନ୍ତି।
ବୈଠକ ପରେ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ‘୧୯୭୧ ମସିହାରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଗଣହତ୍ୟା ପାଇଁ ଆନୁଷ୍ଠାନିକ କ୍ଷମା ପ୍ରାର୍ଥନା, ସମ୍ପତ୍ତିର ବିଭାଜନ, ୧୯୭୦ ମସିହାର ଘୂର୍ଣ୍ଣିଝଡ଼ର ପୀଡିତଙ୍କ ପାଇଁ ଦିଆଯାଇଥିବା ବୈଦେଶିକ ସହାୟତା ହସ୍ତାନ୍ତର ଏବଂ ଫସି ରହିଥିବା ପାକିସ୍ତାନୀମାନଙ୍କୁ ସେମାନଙ୍କ ସ୍ବଦେଶକୁ ଫେରାଇବା ଭଳି ଦୀର୍ଘ ଦିନ ଧରି ପଡ଼ି ରହିଥିବା ଐତିହାସିକ ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ କରାଯିବା ଆବଶ୍ୟକ। ଏଗୁଡ଼ିକର ସମାଧାନ ଦ୍ୱାରା ହିଁ ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କର ମୂଳଦୁଆ ସ୍ଥାପନ କରାଯାଇପାରିବ।’ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ଅଗଷ୍ଟ ୨୩ ରୁ ୨୪ ପର୍ଯ୍ୟନ୍ତ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଥିଲେ। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତାଙ୍କ ନିମନ୍ତ୍ରଣରେ ଏହି ଗସ୍ତ ହୋଇଥିଲା। ଏହି ସମୟରେ ଦାର ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ମଧ୍ୟ ଭେଟିଥିଲେ।
ଗସ୍ତ ସମୟରେ ଦୁଇ ଦେଶ ଗୋଟିଏ ଦ୍ୱିପାକ୍ଷିକ ଚୁକ୍ତିନାମା ଏବଂ ପାଞ୍ଚଟି ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷର କରିଥିଲେ। ରବିବାର ଅପରାହ୍ନରେ ଢାକାରେ ସ୍ବାକ୍ଷର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୌହିଦ ହୋସେନ ଏବଂ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଦାର ଉପସ୍ଥିତ ଥିଲେ।