ଇସଲାମାବାଦ୍,୨୭।୨: ଚାମ୍ପିଅନ୍ସ ଟ୍ରଫିରେ ଆୟୋଜକ ଦଳର ଖରାପ ପ୍ରଦର୍ଶନ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଖୁବ୍ଶୀଘ୍ର ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଦଳର ଖେଳାଳିମାନଙ୍କ ସହ ଆଲୋଚନା କରିବେ। ରାଜନୈତିକ ପରାମର୍ଶଦାତା ରାଣା ସାନାଉଲ୍ଲା ଏହି ସୂଚନା ଦେଇଛନ୍ତି। ପାକିସ୍ତାନ ସରକାର ଦଳର ଶୀଘ୍ର ବିଦାୟ ନେଇ ଅସନ୍ତୁଷ୍ଟ ଥିବା ସେ କହିଛନ୍ତି।
୨୯ ବର୍ଷ ପରେ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଥିବା ପାକିସ୍ତାନ ଦଳ ଚାମ୍ପିଅନ୍ସ ଟ୍ରଫିରେ ଏକ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା। ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧୀନ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିଲା। ୬୦ ରନରେ ପରାସ୍ତ ହୋଇଥିଲେ। ରବିବାର ପାକିସ୍ତାନ ଭାରତୀୟ ଦଳ ସହିତ ମୁହାଁମୁହିଁ ହୋଇଥିଲା। ବିରାଟ କୋହଲିଙ୍କ ଶତକ ବଳରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସେମାନଙ୍କର ଚିରପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ଛଅ ଉଇକେଟରେ ପରାସ୍ତ କରିଛି। ଏହିପରି, ଟୁର୍ନାମେଣ୍ଟରେ ପାକିସ୍ତାନର ଯାତ୍ରା ସମାପ୍ତ ହୋଇଛି।
ଗୁରୁବାର ଡିଫେଣ୍ଡିଂ ଚାମ୍ପିଅନମାନେ ବାଂଲାଦେଶକୁ ଭେଟିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଗୋଟିଏ ବି ବଲ ପକାଇ ନ ଯାଇ ବର୍ଷା ଯୋଗୁ ମ୍ୟାଚ ବାତିଲ ହୋଇଥିଲା। ଏହିପରି ଉଭୟ ଦଳ ଟୁର୍ନାମେଣ୍ଟରୁ ବାଦ ପଡ଼ିଥିଲେ। ସେହି ସମୟରେ, ନ୍ୟୁଜିଲାଣ୍ଡ ଏବଂ ଭାରତ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପରାମର୍ଶଦାତା ରାଣା ସାନାଉଲ୍ଲା କହିଛନି,,ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଜାତୀୟ ଦଳର ପ୍ରଦର୍ଶନ ବିଷୟରେ କଥା ହେବେ। ସେ କ୍ୟାବିନେଟ ଏବଂ ସଂସଦରେ କ୍ରିକେଟ ସହ ଜଡିତ ପ୍ରସଙ୍ଗ ଉଠାଇବେ।