ବିଳିବିଳୋଉଛି ପାକିସ୍ତାନ: ଭାରତର ଓ୍ବେବ୍‌ସାଇଟ୍‌କୁ ପାକ୍‌ ହ୍ୟାକରଙ୍କ ଟାର୍ଗେଟ, ଜବାବ ଦେଉଛି ଗୁଇନ୍ଦା….

ନୂଆଦିଲ୍ଲୀ,୨।୫: ପାକିସ୍ତାନ ସମର୍ଥିତ ହ୍ୟାକର ଗ୍ରୁପ୍‌ଗୁଡ଼ିକ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ସାଇବର ମୋର୍ଚ୍ଚା ଖୋଲିବାକୁ ବିଫଳ ପ୍ରୟାସରେ ଲିପ୍ତ ଅଛନ୍ତି। ଗୁଇନ୍ଦା ସଂସ୍ଥାଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରୁ କାର୍ଯ୍ୟ କରୁଥିବା ““Cyber Group HOAX1337” ” ଏବଂ “National Cyber Crew” ଭଳି ଗ୍ରୁପ୍‌ଗୁଡ଼ିକ ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ଅନେକ ସମ୍ବେଦନଶୀଳ ୱେବସାଇଟ୍‌ ଉପରେ ସାଇବର ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, ଯାହାକୁ ସମୟ ଥାଇ ପଣ୍ଡ କରାଯାଇଥିଲା।

ସୂଚନା ଅନୁଯାୟୀ, ଏହି ହ୍ୟାକର୍ସମାନେ ଆର୍ମି ପବ୍ଲିକ ସ୍କୁଲ, ନାଗୋରୋଟା ଏବଂ ସୁଞ୍ଜୱାନର ୱେବସାଇଟଗୁଡ଼ିକୁ ଟାର୍ଗେଟ କରିଥିଲେ। ସେମାନଙ୍କର ଲକ୍ଷ୍ୟ ଥିଲା ଏହି ସାଇଟଗୁଡ଼ିକୁ ହ୍ୟାକ୍‌ କରିବା ଏବଂ ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ଅପମାନିତ କରୁଥିବା ବାର୍ତ୍ତା ପୋଷ୍ଟ କରିବା। କିନ୍ତୁ, ଭାରତୀୟ ସାଇବର ସୁରକ୍ଷା ଏଜେନ୍ସିଗୁଡ଼ିକର ସତର୍କତା ଯୋଗୁ ଏହି ପ୍ରୟାସଗୁଡ଼ିକ ବିଫଳ ହୋଇଥିଲା।

ଏହା ବ୍ୟତିତ ପୂର୍ବତନ ସୈନିକଙ୍କ ପାଇଁ ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିବା ଏକ ୱେବସାଇଟ ମଧ୍ୟ ବିକୃତ ହୋଇଥିଲା, ଯାହା ସ୍ପଷ୍ଟ କରେ ଯେ ପାକିସ୍ତାନ ଏବେ ଶିଶୁ, ବୃଦ୍ଧ ଏବଂ ପୂର୍ବତନ ସୈନିକଙ୍କୁ ସିଧାସଳଖ ଟାର୍ଗେଟ କରିବା ଭଳି ନିମ୍ନ-ସ୍ତରୀୟ କାର୍ଯ୍ୟକଳାପକୁ ଓହ୍ଲାଇ ଆସିଛି।

ରିପୋର୍ଟ ଅନୁଯାୟୀ, ଆର୍ମି ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଏବଂ ପୂର୍ବତନ ଭାରତୀୟ ବାୟୁସେନା କର୍ମଚାରୀଙ୍କ ୱେବସାଇଟ ମଧ୍ୟ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣଗୁଡ଼ିକୁ ଭାରତ ବିରୁଦ୍ଧରେ ଚାଲିଥିବା ସୂଚନା ଯୁଦ୍ଧର ଏକ ଅଂଶ ଭାବରେ ବିବେଚନା କରାଯାଉଛି।

ଗୁଇନ୍ଦା ସଂସ୍ଥାଗୁଡ଼ିକର ମତରେ, ଏହି ସାଇବର ଆକ୍ରମଣ ପାକିସ୍ତାନର ହତାଶା ଏବଂ ବିଶ୍ୱସ୍ତରରେ ଭାରତର ବଢ଼ୁଥିବା ପ୍ରଭାବ ପ୍ରତି ଏହାର ଅସହଜବୋଧର ଏକ ସଙ୍କେତ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏପରି ଡିଜିଟାଲ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଭାରତକୁ ଉସୁକାଇବାକୁ ଏବଂ ପ୍ରତିଶୋଧ ନେବାକୁ ବାଧ୍ୟ କରିବାକୁ ଚାହୁଁଛି।

ପାକିସ୍ତାନର ଏହି କାର୍ଯ୍ୟ କେବଳ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ନୁହେଁ, ବରଂ ଏହାର କ୍ରମାଗତ ହ୍ରାସ ପାଉଥିବା ରଣନୈତିକ ଚିନ୍ତାଧାରାକୁ ମଧ୍ୟ ପ୍ରତିଫଳିତ କରୁଛି। ଭାରତର ସାଇବର ଏଜେନ୍ସିଗୁଡ଼ିକ ଏବେ ଅଧିକ ସତର୍କ ହୋଇଗଲେଣି ଏବଂ ଏପରି ସମସ୍ତ ପ୍ରୟାସ ଉପରେ ୨୪x୭ ନଜର ରଖାଯାଉଛି।