Categories: Home Leftଖେଳ

ନୀରଜଙ୍କୁ ଶୁଭେଚ୍ଛା ଦେଲା ପରେ ପୋଷ୍ଟ ଡିଲିଟ୍‌ କଲେ ପାକିସ୍ତାନର ଆଥ୍‌ଲେଟ୍‌

ନୂଆଦିଲ୍ଲୀ,୮।୮: ଭାରତୀୟ ଭାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ବ୍ୟକ୍ତିଗତ ଇଭେଣ୍ଟରେ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିବାରେ ଅଭିନବ ବିନ୍ଦ୍ରାଙ୍କ ପରେ ଦ୍ୱିତୀୟ ଭାରତୀୟ ହେଉଛନ୍ତି ନୀରଜ। ଏଭଳି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ।

ଫାଇନାଲରେ ନୀରଜଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପାକିସ୍ତାନର ଜାଭେଲିନ ଥ୍ରୋୟର ଅର୍ଶାଦ ନଦୀମଙ୍କ ଟୁଇଟର ହ୍ୟାଣ୍ଡେଲରୁ ମଧ୍ୟ ଶୁଭେଚ୍ଛା ଦିଆଯାଇଥିଲା। ”ମୋ ଆଦର୍ଶ ନୀରଜଙ୍କୁ ଶୁଭେଚ୍ଛା। ପାକିସ୍ତାନ ପାଇଁ ପଦକ ଜିତିପାରି ନ ଥିବାରୁ ମୁଁ ଦୁଃଖିତ“ ବୋଲି ନଦୀମ ଟୁଇଟ୍‌ କରିଥିଲେ। କିଛି ସମୟ ମଧ୍ୟରେ ଏହି ଟୁଇଟ୍‌ ଭାଇରାଲ ହୋଇଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନଦୀମ ପୋଷ୍ଟକୁ ହଟାଇ ଦେଇଥିଲେ।

ପାକିସ୍ତାନର ସବୁଠୁ ବଡ଼ ଅଲିମ୍ପିକ୍‌ ପଦକ ଆଶା ଥିଲେ ନଦୀମ। ୮୪.୬୨ ମିଟରର ତାଙ୍କ ଶ୍ରେଷ୍ଠ ଥ୍ରୋ ମଧ୍ୟ ପଦକ ପାଇଁ ଯଥେଷ୍ଟ ନ ଥିଲା। ସର୍ବାଧିକ ୮୭.୫୮ ଦୂରତା ସହ ନୀରଜ ସ୍ବର୍ଣ୍ଣ ଜିତିଥିବା ବେଳେ ଚେକ୍‌ ଗଣରାଜ୍ୟର ଜାକୁବ ଭାଡଲେଜ (୮୬.୬୭ ମି) ଓ ଭିଟେସ୍ଲାଭ ଭେସେଲି (୮୫.୪୪ ମି.) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାତେଇଥିଲେ।