ଲଣ୍ଡନ,୮।୮: ପାକିସ୍ତାନ କ୍ରିକେଟ ଦଳର ଏକ ଯୁବ ଖେଳାଳି ହାଇଦର ଅଲୀଙ୍କୁ ଇଂଲଣ୍ଡରେ ଗ୍ରେଟର ମାଞ୍ଚେଷ୍ଟର ପୋଲିସ ଗିରଫ କରିଥିବା ଜଣାପଡିଛି। ପାକିସ୍ତାନ ଶାହୀନ୍ସ (‘ଏ’ ଦଳ) ସହିତ ଇଂଲଣ୍ଡ ଗସ୍ତରେ ଥିବା ୨୪ ବର୍ଷୀୟ ହାଇଦରଙ୍କ ବିରୋଧରେ ଜଣେ ଝିଅ ବଳାତ୍କାର ଅଭିଯୋଗ ଆଣିଥିବା ସୂଚନା ମିଳିଛି। ଏହି ଅଭିଯୋଗ ଅନୁଯାୟୀ, ଗ୍ରେଟର ମାଞ୍ଚେଷ୍ଟର ପୋଲିସ ତାଙ୍କୁ ଅଗଷ୍ଟ ୩ ତାରିଖରେ ବେକେନହାମ ଗ୍ରାଉଣ୍ଡରୁ ଗିରଫ କରିଥିଲା, ଯେଉଁଠାରେ ପାକିସ୍ତାନ ଶାହୀନ୍ସ ଏମସିଏସଏସି ବିରୁଦ୍ଧରେ ମ୍ୟାଚ୍ ଖେଳୁଥିଲା। ତେଲିକମ ଏସିଆ ସ୍ପୋର୍ଟସ ରିପୋର୍ଟ ଅନୁଯାୟୀ, ଅଭିଯୋଗକାରୀ ଜଣେ ପାକିସ୍ତାନୀ ମୂଳ ଝିଅ ବୋଲି ଜଣାପଡ଼ିଛି।
ପୋଲିସ ହାଇଦରଙ୍କ ପାସପୋର୍ଟ ଜବତ କରିଥିବା ସୂଚନା ମିଳିଛି, କିନ୍ତୁ ତାଙ୍କୁ ଜାମିନରେ ମୁକ୍ତ କରାଯାଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ଘଟଣାରେ ପୂର୍ଣ୍ଣ ସହଯୋଗ କରିବ ଏବଂ ହୈଦରଙ୍କୁ ଆଇନଗତ ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ହୈଦରଙ୍କୁ ଅସ୍ଥାୟୀ ଭାବେ ନିଲମ୍ବନ କରାଯାଇଛି। ପିସିବିର ଜଣେ ମୁଖପାତ୍ର କହିଛନ୍ତି, “ଆମେ ଏହି ମାମଲା ଏବଂ ତଦନ୍ତ ବିଷୟରେ ଅବଗତ ହୋଇଛୁ। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ହାଇଦରଙ୍କୁ ନିଲମ୍ବନ କରାଯାଇଛି ଏବଂ ଆମେ ଇଂଲଣ୍ଡରେ ନିଜସ୍ୱ ତଦନ୍ତ କରିବୁ।”
ସୂଚନା ଅନୁଯାୟୀ, ଗିରଫ ସମୟରେ ହାଇଦର କାନ୍ଦି ପକାଇଥିଲେ ଏବଂ ତଦନ୍ତ ସମୟରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ।
ପାକିସ୍ତାନ ଶାହୀନ୍ସ ଜୁଲାଇ ୧୭ରୁ ଅଗଷ୍ଟ ୬ ପର୍ଯ୍ୟନ୍ତ ଇଂଲଣ୍ଡ ଗସ୍ତରେ ଥିଲା, ଯେଉଁଠାରେ ସେମାନେ ଦୁଇଟି ତିନି ଦିନିଆ ମ୍ୟାଚ୍ ଖେଳିଥିଲେ, ଯାହା ଡ୍ର ହୋଇଥିଲା, ଏବଂ ଏକ ତିନି ମ୍ୟାଚ୍ବିଶିଷ୍ଟ ଏକଦିବସୀୟ ସିରିଜରେ ୨-୧ରେ ବିଜୟୀ ହୋଇଥିଲେ। ଦଳର ଅଧିକାଂଶ ଖେଳାଳି ବୁଧବାର ଦିନ ପାକିସ୍ତାନ ଫେରିଥିବା ବେଳେ, ଅଧିନାୟକ ସୌଦ ଶାକିଲ ବ୍ୟକ୍ତିଗତ କାରଣରୁ ଦୁବାଇରେ ରହିଥିଲେ ଏବଂ ହାଇଦର ଆଇନଗତ ପ୍ରକ୍ରିୟା ଯୋଗୁଁ ଇଂଲଣ୍ଡରେ ରହିଛନ୍ତି।
ହାଇଦର ଆଲୀ ଜଣେ ପ୍ରତିଭାବାନ ଖେଳାଳି ଭାବେ ପରିଚିତ, ଯିଏ ୨୦୨୦ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଅଣ୍ଡର-୧୯ ବିଶ୍ୱକପରେ ପାକିସ୍ତାନ ପାଇଁ ଖେଳିଥିଲେ। ସେ ଦୁଇଟି ଏକଦିବସୀୟ ଓ ୩୫ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଯାହାର ଶେଷ ମ୍ୟାଚ୍ ଦୁଇ ବର୍ଷ ପୂର୍ବେ ଏସୀୟ କ୍ରୀଡ଼ାରେ ଥିଲା। ଏହା ପୂର୍ବରୁ ୨୦୨୧ରେ ପାକିସ୍ତାନ ସୁପର ଲିଗ୍ରେ କୋଭିଡ ନିୟମ ଉଲ୍ଲଙ୍ଘନ କାରଣରୁ ତାଙ୍କୁ ପିସିବି ନିଲମ୍ବନ କରିଥିଲା ଏବଂ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଗସ୍ତରୁ ବାଦ ଦିଆଯାଇଥିଲା।
ସୂଚନା ଅନୁଯାୟୀ, ପାକିସ୍ତାନର ନୂଆ ହ୍ୱାଇଟ-ବଲ ମୁଖ୍ୟ କୋଚ ମାଇକ ହେସନ ହାଇଦରଙ୍କୁ ଚଳିତ ମାସରେ ଶାରଜାହରେ ଅନୁଷ୍ଠିତ ଟି-୨୦ ଟ୍ରାଇ-ସିରିଜ ପାଇଁ ଦଳରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଥିଲେ।
ପାକିସ୍ତାନ କ୍ରିକେଟରେ ଏହା ପୂର୍ବରୁ ମଧ୍ୟ ଖେଳାଳିଙ୍କ ଅସଦାଚରଣ ଘଟଣା ଘଟିଛି। ୨୦୧୦ରେ ଇଂଲଣ୍ଡ ଗସ୍ତ ସମୟରେ ପାକିସ୍ତାନର ତତ୍କାଳୀନ ଟେଷ୍ଟ ଅଧିନାୟକ ସଲମାନ ବଟ୍ଟ, ମହମ୍ମଦ ଆମିର ଓ ମହମ୍ମଦ ଆସିଫଙ୍କୁ ସ୍ପଟ ଫିକ୍ସିଂ ଅଭିଯୋଗରେ ଗିରଫ କରାଯାଇ ପାଞ୍ଚ ବର୍ଷ ପାଇଁ ନିଷିଦ୍ଧ କରାଯାଇଥିଲା।