ଦୁବାଇ,୧୬।୯: ଏସିଆ କପ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍ରେ ହାଣ୍ଡଶେକ ନ କରିବାର ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏହି ମାମଲାରେ ପଛାଇବାକୁ ପ୍ରସ୍ତୁତ ନାହିଁ। ରିପୋର୍ଟ ଅନୁଯାୟୀ, ମ୍ୟାଚ୍ର ଦିନକ ପୂର୍ବରୁ ହେବାକୁ ଥିବା ପ୍ରେସ କନ୍ଫରେନ୍ସକୁ ଟିମ ବାତିଲ କରିଦେଇଛି। ଏବେ ପାକିସ୍ତାନ ଟିମ ଏସିଆ କପ୍ରୁ ବାହାରିଯାଇପାରେ ବୋଲି ଖବର ଆସୁଛି। ଟିମ ଟ୍ରେନିଂ କରିବ କି ନାହିଁ, ସେ ନେଇ ବି ପାକିସ୍ତାନ ପକ୍ଷରୁ କୌଣସି ଅପ୍ଡେଟ୍ ନାହିଁ। ଏସିଆ କପ୍ରେ ସେମାନଙ୍କ ଆଗାମୀ ଗେମ୍ପ୍ଲାନ୍ ଉପରେ ସ୍ପଷ୍ଟ ସୂଚନା ସନ୍ଧ୍ୟାରେ ମିଳିବ। ସେମାନଙ୍କୁ ବୁଧବାର (୧୬ ସେପ୍ଟେମ୍ବର୍) ଯୁଏଇ (ଯୁନାଇଟେଡ ଆରବ ଏମିରେଟ୍ସ) ବିରୁଦ୍ଧରେ ଖେଳିବାକୁ ଥିଲା। ଯଦି ପାକିସ୍ତାନ ଟିମ ବାହାରିଯାଏ, ତେବେ ଏହା ଏକ ଐତିହାସିକ ଘଟଣା ହେବ, କାରଣ ଏସିଆ କପ୍ ମଝିରୁ କୌଣସି ଟିମ ଏଭଳି ବାହାରିଯାଇଥିବା ପ୍ରଥମ ଉଦାହରଣ।
ଯଦି ପାକିସ୍ତାନ ୧୭ ସେପ୍ଟେମ୍ବର୍ରେ ହେବାକୁ ଥିବା ମ୍ୟାଚ୍ ଖେଳେ ନାହିଁ, ତେବେ ଯୁଏଇ ଟିମ୍କୁ ଏହାର ଲାଭ ମିଳିବ। ଯୁଏଇ ପୂର୍ବରୁ ଏକ ବିଜୟ ହାସଲ କରିଛି। ଏମିତିରେ ପାକିସ୍ତାନ ବାହାରିଗଲେ ଯୁଏଇକୁ ଦୁଇ ପଏଣ୍ଟ ମିଳିଯିବ। ଫଳରେ ଟିମ୍ ପ୍ରଥମ ଥର ପାଇଁ ଏସିଆ କପ୍ର ସୁପର୍-ଫୋର୍ରେ ପହଞ୍ଚିଯିବ।
ସୂଚନାଯୋଗ୍ୟ, ଏସିଆ କପ୍ରେ ଗତ ରବିବାର ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଟିମ ଇଣ୍ଡିଆ ୭ ଉଇକେଟ ଅନ୍ତରରେ ସହଜରେ ଜିତିଛି। କିନ୍ତୁ ମ୍ୟାଚ୍ରେ ଟସ ସମୟରେ ଏବଂ ମ୍ୟାଚ୍ ଜିତିବା ପରେ ଟିମ ଇଣ୍ଡିଆର ଖେଳାଳିମାନେ ପାକିସ୍ତାନ ଖେଳାଳିମାନଙ୍କ ସହ ହାଣ୍ଡଶେକ କରି ନ ଥିଲେ। ଏହା ପରେ ପାକିସ୍ତାନ କ୍ୟାପ୍ଟେନ ମଧ୍ୟ ପୋଷ୍ଟ-ମ୍ୟାଚ୍ ପ୍ରେଜେଣ୍ଟେସନ୍କୁ ନ ଯାଇ ଏହାର ବିରୋଧ ଦେଖାଇଥିଲେ। ଏହି ଘଟଣାକୁ ପିସିବି ‘ଦୁର୍ଭାଗ୍ୟଜନକ’ କହି ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ(ଆଇସିସି) ଆଗରୁ ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରାଫ୍ଟକୁ ହଟାଇବାକୁ ଦାବି କରିଥିଲା। ପିସିବି ପକ୍ଷରୁ କୁହାଯାଇଥିଲା ଯେ ଯଦି ସେମାନଙ୍କୁ ହଟାଇଲେ ନାହିଁ, ତେବେ ସେମାନେ ଯୁଏଇ ବିରୁଦ୍ଧରେ ମ୍ୟାଚ ଖେଳିବେ ନାହିଁ। ମଙ୍ଗଳବାର ଦିନ ମଧ୍ୟାହ୍ନରେ ଆଇସିସି ସେମାନଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଛି ଏବଂ ଏବେ ଟିମ ପ୍ରେସ କନ୍ଫରେନ୍ସକୁ ରଦ୍ଦ କରି ଜଣାଇଦେଇଛି ଯେ ସେମାନେ ଏହି ମାମଲାରେ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି।
ଏହି ବିବାଦରେ ପିସିବି ମ୍ୟାଚ ରେଫରୀ ଆଣ୍ଡି ପାଇକ୍ରାଫ୍ଟଙ୍କୁ ହଟାଇବାର ଦାବି କରିଥିଲା, କାରଣ ସେ ଟସ ସମୟରେ ହାଣ୍ଡଶେକ ନ କରିବାକୁ ପାକିସ୍ତାନ ଅଧିନାୟକଙ୍କୁ ପରାମର୍ଶ ଦେଇଥିବା ଅଭିଯୋଗ ହୋଇଛି। କିନ୍ତୁ ଆଇସିସି ଏହି ଦାବିକୁ ଖାରଜ କରିଛି। ପାଇକ୍ରାଫ୍ଟଙ୍କୁ ଟୁର୍ନାମେଣ୍ଟରୁ ହଟାଇବାକୁ ମନା କରିଛି। ଏମିତିରେ ଆଜି ସନ୍ଧ୍ୟା ସମୟରେ ପାକିସ୍ତାନର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ।