ନୂଆଦିଲ୍ଲୀ,୨।୧୨: ବନ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ସହାୟତା ପଠାଇବାର ପାକିସ୍ତାନର ଉଦ୍ୟମ ବଡ଼ ଧରଣର ଲଜ୍ଜାର କାରଣ ହୋଇଛି। ପାକିସ୍ତାନର ହାଇ କମିଶନଙ୍କ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ରିଲିଫ୍ ପ୍ୟାକେଜ୍ର ଫଟୋରେ ସାମଗ୍ରୀର ଏକ୍ସପାଏରି ତାରିଖ ପୂର୍ବରୁ ସରିଯାଇଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସାରା ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା ସୃଷ୍ଟି ହୋଇଛି।
ପାକିସ୍ତାନ ହାଇ କମିଶନ ସହାୟତା ପହଞ୍ଚିବାର ଖବର ଦେବା ସହ କିଛି ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। କିନ୍ତୁ ପ୍ୟାକେଜ୍ଗୁଡ଼ିକ ଉପରେ “EXP: 10/2024” ଲେଖାଯାଇଥିବା ଦେଖାଯାଇଛି। ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଅକ୍ଟୋବର ୨୦୨୪ର ତାରିଖକୁ ଏକ୍ସପାଏରୀ (ମିଆଦ ପୂରଣ) ତାରିଖ ବୋଲି ଦର୍ଶାଇ ପାକିସ୍ତାନ ଉପରେ ବର୍ଷିଛନ୍ତି, କାରଣ ଏହି ତାରିଖ ଏକ ବର୍ଷରୁ ଅଧିକ ପୂର୍ବରୁ ସରିଯାଇଛି।
ସମାଲୋଚକମାନେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ମିଆଦ ପୂରିଯାଇଥିବା ସାମଗ୍ରୀ ପଠାଇ ଦୁର୍ଦ୍ଦଶାରେ ଥିବା ଲୋକଙ୍କୁ ଅସମ୍ମାନ କରିଛି। ତେବେ, ଏନେଇ ଇସଲାମାବାଦ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
ପାକିସ୍ତାନର ବିବାଦୀୟ ସହାୟତା ମଧ୍ୟରେ, ଭାରତ ‘ଅପରେସନ୍ ସାଗର ବନ୍ଧୁ’ ଅଧୀନରେ ଶ୍ରୀଲଙ୍କାକୁ ବୃହତ୍ ମାନବିକ ସହାୟତା ପ୍ରଦାନ କରିଛି। ଚଳିତ ସାଇକ୍ଲୋନ୍ ‘ଦିତୱାହ’ ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ୨୮ ତାରିଖରୁ ଭାରତ ଆକାଶ ଏବଂ ସମୁଦ୍ର ପଥରେ ମୋଟ ୫୩ ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି।
ବିଦେଶ ମନ୍ତ୍ରଣାଳୟ (MEA) ଅନୁଯାୟୀ, ଆଇଏନ୍ଏସ୍ ବିକ୍ରାନ୍ତ, ଆଇଏନ୍ଏସ୍ ଉଦୟଗିରି ଏବଂ ଆଇଏନ୍ଏସ୍ ସୁକନ୍ୟା ଭଳି ଜାହାଜ ଏବଂ ଆଇଏଏଫ୍ ପରିବହନ ବିମାନ ଯୋଗେ ରିଲିଫ୍ ସାମଗ୍ରୀ ପଠାଯାଇଛି।
ଏହା ସହିତ ଭାରତ ପ୍ରାୟ ୨,୦୦୦ରୁ ଅଧିକ ଫସି ରହିଥିବା ଭାରତୀୟଙ୍କୁ ସ୍ଥାନାନ୍ତର କରିଛି ଏବଂ ଏନ୍ଡିଆର୍ଏଫ୍ (NDRF) ଦଳ ଉଦ୍ଧାର କାର୍ଯ୍ୟରେ ଲାଗି ୧୫୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ କରିଛନ୍ତି।