ନୂଆଦିଲ୍ଲୀ,୨୨ା୧: ୨୦୨୬ ଟି20 ବିଶ୍ୱକପ୍ ପୂର୍ବରୁ ବିବାଦ ବଢ଼ିବାରେ ଲାଗିଛି। ଭାରତରେ ନ ଖେଳିବା ଜିଦ୍ ରେ ବାଂଲାଦେଶ ବିଶ୍ୱକପରୁ ଓହରିଯିବା ପରେ ପାକିସ୍ତାନ ମଧ୍ୟ ବୟକଟ୍ କରିବାକୁ ଧମକ ଦେଇଛି।
ବାଂଲାଦେଶ କ୍ରିକେଟ ବୋର୍ଡ୍ (BCB) ପକ୍ଷରୁ ଭାରତ ବାହାରେ ଗ୍ରୁପ୍ ମ୍ୟାଚ୍ ସ୍ଥାନାନ୍ତରଣ ଅନୁରୋଧକୁ ICC ପ୍ରତ୍ୟାଖ୍ୟାନ କରିବା ପରେ, ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ବୟକଟ୍ କରିପାରେ ବୋଲି ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ ସୁରକ୍ଷା ଚିନ୍ତା ଦର୍ଶାଇ ଏହି ଦୁଇ ଦେଶ ଭାରତକୁ ଯିବାକୁ ଆସିବାକୁ ଅସ୍ବୀକାର କରୁଛନ୍ତି।
ଏହି ଘଟଣାରେ ବାଂଲାଦେଶ କହିଛି ଯେ, ଭାରତର ଆଗ୍ରହରେ ପାକିସ୍ତାନର ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର ହୋଇଥିଲା, ସେହି ମୂଳ ଆଧାରରେ ଆମର ଅନୁରୋଧ ଖାରଜ ହେବା ନିରାଶାଜନକ।
ବୁଧବାର ICC ବୋର୍ଡ୍ BCB ର ଅନୁରୋଧକୁ ଭୋଟିଂ ମାଧ୍ୟମରେ ଖାରଜ କରିଛି। PTI ରିପୋର୍ଟ ଅନୁସାରେ, ୧୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ ଜଣ ଏହା ବିରୋଧରେ ଭୋଟ୍ ଦେଇଥିଲେ। କେବଳ ବାଂଲାଦେଶ ଓ ପାକିସ୍ତାନ ପକ୍ଷରେ ଥିଲେ। ICC କହିଛି, ବର୍ତ୍ତମାନ ପରିସ୍ଥିତିରେ ମ୍ୟାଚ୍ ସ୍ଥାନାନ୍ତର କଲେ ICC ଇଭେଣ୍ଟର ପବିତ୍ରତା ଓ ସଂଗଠନର ନିରପକ୍ଷତା ପ୍ରଭାବିତ ହେବ।
ଭାରତ ଓ ଶ୍ରୀଲଙ୍କା ସଂଯୁକ୍ତ ଆୟୋଜନରେ ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ICC ବାଙ୍ଗ୍ଲାଦେଶକୁ ଆଉ ଗୋଟିଏ ଦିନ ସମୟ ଦେଇଛି। ଏହି ମଧ୍ୟବେଳେ ବାଙ୍ଗ୍ଲାଦେଶ ସରକାରଙ୍କ କ୍ରୀଡ଼ା ପରାମର୍ଶଦାତା ଆସିଫ୍ ନଜରୁଲ୍ ଗୁରୁବାର ଦଳର ଖେଳାଳିମାନଙ୍କ ସହ ଆଲୋଚନା କରିବେ। ଅଧିକାଂଶ ଖେଳାଳି ଭାରତକୁ ଯାଇ ଖେଳିବା ପକ୍ଷରେ ଥିବା ଜଣାପଡ଼ିଛି।