କଲମ୍ବୋ,୧୩।୨: କ୍ରିକେଟର ଆଉ ଏକ ମହାଲଢ଼େଇ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଟି-୨୦ ବିଶ୍ୱକପ୍ ୨୦୨୬ରେ ଆସନ୍ତା ରବିବାର, ୧୫ ଫେବୃଆରୀରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ହେବାକୁ ଥିବା ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଉଭୟ ଶିବିରରେ ରଣନୀତି ପ୍ରସ୍ତୁତ ଚାଲିଛି।
ଭାରତୀୟ ଦଳ କଲମ୍ବୋରେ ପହଞ୍ଚିବା ପୂର୍ବରୁ ପାକିସ୍ତାନ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଶୁକ୍ରବାର (୧୩ ଫେବୃଆରୀ) ପାକିସ୍ତାନୀ ଖେଳାଳିମାନେ ପ୍ରେମଦାସା ଷ୍ଟାଡିୟମରେ ଘଣ୍ଟା ଘଣ୍ଟା ଧରି ନେଟ୍ ପ୍ରାକ୍ଟିସ କରିଛନ୍ତି। ଯେହେତୁ ପାକିସ୍ତାନ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳୁଛି, ତେଣୁ ସେମାନଙ୍କୁ ପରିବେଶ ଓ ପିଚ୍ ସହ ଖାପଖୁଆଇବା ପାଇଁ ଅଧିକ ସମୟ ମିଳିଛି। ଅନ୍ୟପଟେ ଭାରତୀୟ ଦଳ ନିଜର ଶେଷ ମ୍ୟାଚ୍ ଦିଲ୍ଲୀରେ ଖେଳି ଶୁକ୍ରବାର ସାରେ କଲମ୍ବୋ ଅଭିମୁଖେ ବାହାରିଛି।
ଏହି ମ୍ୟାଚ ପୂର୍ବରୁ ଅନେକ ବିବାଦ ଦେଖିବାକୁ ମିଳିଥିଲା। ପାକିସ୍ତାନ ଦଳ ପ୍ରଥମେ ଏହି ମ୍ୟାଚ ବର୍ଜନ କରିବାକୁ ଧମକ ଦେଇଥିଲା, କିନ୍ତୁ ପ୍ରାୟ ଏକ ସପ୍ତାହର ଆଲୋଚନା ପରେ ଏହି ସମସ୍ୟାର ସମାଧାନ ହୋଇଛି। ଏବେ ଉଭୟ ଦଳ ପୁରୁଣା କଥା ପଛରେ ପକାଇ ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଶନିବାର, ୧୪ ଫେବୃଆରୀରେ ଟିମ ଇଣ୍ଡିଆ ପ୍ରଥମ କରି କଲମ୍ବୋରେ ଅଭ୍ୟାସ କରିବ। ଭାରତୀୟ ଦଳ ପାଇଁ ଏହି ଗୋଟିଏ ଦିନର ଅଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ବିଶେଷ କରି ଷ୍ଟାର୍ ଓପନର ଅଭିଷେକ ଶର୍ମାଙ୍କ ଫିଟନେସ୍ ଉପରେ ସମସ୍ତଙ୍କ ନଜର ରହିଛି। ଶନିବାରର ଟ୍ରେନିଂ ସେଶନ ପରେ ହିଁ ସେ ପାକିସ୍ତାନ ବିପକ୍ଷରେ ମଇଦାନକୁ ଓହ୍ଲାଇବେ କି ନାହିଁ ତାହା ଜଣାପଡ଼ିବ।
ମ୍ୟାଚ ପ୍ରୋଫାଇଲ:
ମ୍ୟାଚ ତାରିଖ:୧୫ ଫେବୃଆରୀ, ୨୦୨୬ (ରବିବାର)
ସ୍ଥାନ: ଆର. ପ୍ରେମଦାସା ଷ୍ଟାଡିୟମ, କଲମ୍ବୋ
ଗ୍ରୁପ: ଗ୍ରୁପ ’ଏ’ (Group A)
ମୁଖ୍ୟ ଆକର୍ଷଣ:ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱ ବନାମ ପାକିସ୍ତାନର ବୋଲିଂ ଆକ୍ରମଣ।
ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଶୁଭ ସଂଯୋଗ ହେଉଛି ଯେ, ଚଳିତ ବିଶ୍ୱକପ୍ରେ ଜିମ୍ବାୱେ ଅଷ୍ଟ୍ରେଲିଆକୁ ହରାଇ ସାରିଛି, ଯାହା ପୂର୍ବରୁ ଭାରତ ବିଶ୍ୱ ଚାମ୍ପିଅନ ହେବା ସମୟରେ ଘଟିଥିଲା।
Dharitri – Odisha’s No.1 Odia Daily