Categories: Home Leftଖେଳ

ପାକିସ୍ତାନ ଉପସ୍ଥାପିକା ଫେରିଗଲେ

ନୂଆଦିଲ୍ଲୀ, ୧୦ା୧୦: ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ର ପ୍ରସାରଣ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡିଜିଟାଲ ଟିମ୍‌ର ଅଂଶବିଶେଷ ଥିବା ଜଣେ ପାକିସ୍ତାନୀ ଉପସ୍ଥାପିକା ଜୈନାବ ଆବାସ ସୋମବାର ଭାରତ ଛାଡ଼ି ନିଜ ଦେଶକୁ ଫେରିଯାଇଛନ୍ତି। ଅତୀତର ତାଙ୍କ ଭାରତ ବିରୋଧୀ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଥିଲା। ଏହି ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଆଇସିସି କହିଛି, ଜୈନାବ ବ୍ୟକ୍ତିଗତ କାରଣରୁ ଘରବାହୁଡ଼ା କରିଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ କରାଯାଇ ନାହିଁ। ଖବର ଅନୁସାରେ ଜୈନାବ ହାଇଦ୍ରାବାଦରେ ପାକିସ୍ତାନର ବିଶ୍ୱକପ୍‌ ମ୍ୟାଚ କଭର ପାଇଁ ଆସିଥିଲେ। ଏହି ୩୫ ବର୍ଷୀୟା ଉପସ୍ଥାପିକା ଅକ୍ଟୋବର ୬ରେ ହାଇଦ୍ରାବାଦସ୍ଥିତ ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ପାକିସ୍ତାନର ନେଦରଲାଣ୍ଡ୍ସ ବିପକ୍ଷ ବିଶ୍ୱକପ୍‌ ଓପନ ବେଳେ ଉପସ୍ଥିତ ଥିଲେ। ଉପସ୍ଥାପିକା ଜଣକ ଗତ ସପ୍ତାହରେ ହାଇଦ୍ରାବାଦରେ ପହଞ୍ଚତ୍ ଥିଲେ। ସେ ବେଙ୍ଗାଲୁରୁ, ଚେନ୍ନାଇ ଓ ଅହମଦାବାଦ ଗସ୍ତ କରିଥାନ୍ତେ, ଯେଉଁଠାରେ ପାକିସ୍ତାନ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବାକୁଥିବା ବିଶ୍ୱକପ୍‌ ପାଇଁ ପୂର୍ବତନ ପାକିସ୍ତାନ ଖେଳାଳି ରମିଜ ରାଜା ଓ ଓ୍ବାକାର ୟୁନିସ କମେଣ୍ଟ୍ରି ପ୍ୟାନେଲରେ ସ୍ଥାନ ପାଇଛନ୍ତି। ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବା ଲାଗି ପାକିସ୍ତାନ କ୍ରିକେଟ ଦଳ ୭ ବର୍ଷ ପରେ ସେପ୍ଟେମ୍ବର ୨୭ରେ ଭାରତ ପହଞ୍ଚି ଥିଲା । ବିମାନ ବନ୍ଦରରେ ସେମାନଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।