ରାତିଅଧରେ ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରିଥିଲା ଭାରତ, ଶୋଇ ପାରି ନ ଥିଲେ ପ୍ରଧାନମନ୍ତ୍ରୀ, ଏବେ ମାନିଲେ…

ଇସ୍‌ଲାମାବାଦ,୧୮ା୫: ଅପରେଶନ ସିନ୍ଦୂର ବେଳେ ପାକିସ୍ତାନର ରାଓ୍ବଲପିଣ୍ଡିସ୍ଥିତ ନୁର୍‌ ଖାନ୍‌ ଏୟାରବେସ୍‌ ଓ ଅନ୍ୟ କେତେକ ସ୍ଥାନରେ ଭାରତ ଆକ୍ରମଣ କରିଥିବା ଏହାର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ସ୍ବୀକାର କରିଛନ୍ତି। ଭାରତର ଏହି ଆକ୍ରମଣ ସମ୍ପର୍କରେ ପାକ୍‌ ସେନାମୁଖ୍ୟ ଜେନେରାଲ ଅସିମ ମୁନିର ଗତ ୧୦ ତାରିଖ ରାତି ୨ଟା ୩୦ ମିନିଟ୍‌ ସମୟରେ ଶେହବାଜଙ୍କୁ ଜଣାଇଥିଲେ। ଭାରତର ସାମରିକ କାର୍ଯ୍ୟାନୁ୍‌ଷ୍ଠାନ କଥା ଉଠିଲେ ପାକିସ୍ତାନ ସାଧାରଣତଃ ଏହାକୁ ଖଣ୍ଡନ କରିଥାଏ। ତେବେ ରାଓ୍ବଲପିଣ୍ଡିସ୍ଥିତ ଏୟାରବେସ୍‌ ଉପରେ ଆକ୍ରମଣକୁ ସ୍ବୀକାର କରିବା ଏହାର ପରିପନ୍ଥୀ। ଶେହବାଜଙ୍କ ଏହି ମନ୍ତବ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଇସ୍‌ଲାମାବାଦସ୍ଥିତ ପାକିସ୍ତାନ ମନୁମେଣ୍ଟରେ ଏକ ସ୍ବତନ୍ତ୍ର ୟୁମ୍‌-ଇ-ତଶକୁର’ ଉତ୍ସବରେ ଉଦ୍‌ବୋଧନ ଦେଇ ଶେହବାଜ କହିଥିଲେ, ମେ’ ୯-୧୦ ମଧ୍ୟବର୍ତ୍ତୀ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ସେନାମୁଖ୍ୟ ମୁନିର ତାଙ୍କୁ ଫୋନ୍‌ କରି ହିନ୍ଦୁସ୍ତାନୀ ବାଲିଷ୍ଟିକ୍‌ ମିଶାଇଲ୍‌ ନୁର୍‌ ଖାନ୍‌ ଏୟାରବେସ୍‌ ଓ ଅନ୍ୟ ସ୍ଥାନରେ ମାଡ଼ ହୋଇଥିବା କହିଥିଲେ। ଏହା ମୁଁ ନିଶ୍ଚିତ ଭାବେ କହିପାରେ ଯେ, ଜେନେରାଲଙ୍କ ସ୍ବରରେ ଆତ୍ମବିଶ୍ୱାସ ଓ ଦେଶଭକ୍ତି ରହିଥିଲା। ଭାରତର ମିଶାଇଲ୍‌ ଓ ଡ୍ରୋନ୍‌ ପାକିସ୍ତାନର ୩ଟି ଏୟାରବେସ୍‌କୁ ଟାର୍ଗେଟ କରିଥିବା ୧୦ ତାରିଖରେ ଇସ୍‌ଲାମାବାଦ କହିଥିଲା। ଏହାର ସାମରିକ ମୁଖପାତ୍ର ଲ୍ୟୁଟ୍‌ନାଣ୍ଟ ଜେନେରାଲ ଅହମଦ ଶରିଫ୍‌ ଚୌଧରୀ ଭୋର ୪ଟାରେ ତୁରନ୍ତ ଖବରଦାତା ସମ୍ମିଳନୀ ଡାକି ରାଓ୍ବଲପିଣ୍ଡିର ଚକଲାଲାଠାରେ ଥିବା ନୁର୍‌ ଖାନ୍‌, ଚକଓ୍ବାଲର ମୁରିଦ, ଝଙ୍ଗ ଜିଲାର ଶରକୋଟରେ ଥିବା ରଫିକି ଏୟାରବେସ୍‌ରେ ଆକ୍ରମଣ ହୋଇଥିବା କହିଥିଲେ।