ପାକିସ୍ତାନୀ ଖେଳାଳିଙ୍କ ଘୃଣ୍ୟ ଆଚରଣକୁ ନେଇ ହଙ୍ଗାମା; ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ କଲେ ଏମିତି… 

ଦୁବାଇ,୨୧।୯: ଏସିଆ କପ୍‌ ୨୦୨୫ରେ ଆଜି (୨୧ ସେପ୍ଟେମ୍ବର) ଆହୁରି ଏକ ହାଇ-ଭୋଲ୍ଟେଜ ମୁକାବଲା ହେବାକୁ ଯାଉଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ଦଳ ସୁପର-୪ ମ୍ୟାଚରେ ମୁହାଁମୁହଁି ହେବେ। ଏହି ଦୁଇ ଦଳ ଗ୍ରୁପ ଷ୍ଟେଜ୍‌ରେ ଖେଳିଥିଲେ, ଯେଉଁଠାରେ ଭାରତୀୟ ଦଳ ୭ ଉଇକେଟରେ ପରାଜିତ ହୋଇଥିଲା। ମ୍ୟାଚ୍‌ ପରେ ଭାରତୀୟ ଦଳର ହାଣ୍ଡଶେକ ନ କରିବାକୁ ନେଇ ବିବାଦ ମଧ୍ୟ ହୋଇଥିଲା। ଏବେ ପାକିସ୍ତାନୀ ଖେଳାଳିଙ୍କ ଏକ ଲଜ୍ଜାଜନକ କାଣ୍ଡ ପରିସ୍ଥିତିକୁ ଅଧିକ ଜଟିଳ କରିଛି।
ଭାରତ-ପାକିସ୍ତାନ ମୁକାବଲା ପୂର୍ବରୁ ମାହୋଲରେ ବିବାଦ ବଢ଼ିବାରେ ଲାଗିଛି। ଦୁବାଇର ଆଇସିସି ଆକାଡେମୀରେ ସମ୍ପ୍ରତି ପ୍ରାକ୍ଟିସ ସେସନ ସମୟରେ ପାକିସ୍ତାନୀ ଖେଳାଳିମାନଙ୍କ ପକ୍ଷରୁ ‘୬-୦, ୬-୦’ ନାରା ଲଗାଯାଇଥିବା ଖବର ଆସିଛି, ଯାହାକୁ ଭାରତ ପ୍ରତି ଏକ ଟିପ୍ପଣୀ ଭାବରେ ଦେଖାଯାଉଛି। ଏହି ନାରାକୁ ସମ୍ପ୍ରତି ସାମରିକ ସଂଘର୍ଷ ସମୟରେ ପାକିସ୍ତାନୀ ବାୟୁସେନାଙ୍କ ପକ୍ଷରୁ ଛଅଟି ଭାରତୀୟ ଯୁଦ୍ଧବିମାନ ଖସାଇଥିବା ଦାବି ସହିତ ଯୋଡ଼ି ଦେଖାଯାଉଛି।
ରିପୋର୍ଟ ଅନୁଯାୟୀ, ପାକିସ୍ତାନର ତୀବ୍ର ଗେନ୍ଦବାନ ହାରିସ ରାଉଫ ପ୍ରାକ୍ଟିସ ସମୟରେ ଏହି ନାରାର ଆରମ୍ଭ କରିଥିଲେ। ଏହା ପରେ ଅନ୍ୟ ଖେଳାଳିମାନେ ମଧ୍ୟ ‘୬-୦, ୬-୦’ ନାରା ଲଗାଇଥିବା ଦେଖାଯାଇଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେଉଛି, ଯେଉଁଥିରେ ଦ୍ରୁତ ବୋଲର ହାରିସ ରଉଫ ୬-୦ର ଇଙ୍ଗିତ କରୁଥିବା ଦେଖାଯାଉଛି।
ଗ୍ରୁପ ଷ୍ଟେଜ ମ୍ୟାଚ ପରଠାରୁ ଦୁଇ ଦଳ ମଧ୍ୟରେ ବିବାଦ ବଜାୟ ରହିଛି। ଏପ୍ରିଲ୍‌ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ନ ମିଳାଇବାର ନିଷ୍ପତ୍ତି ନେଇଥିଲା, ଯାହାର ଜବାବରେ ପାକିସ୍ତାନ ପ୍ରି-ମ୍ୟାଚ ପ୍ରେସ କନ୍‌ଫରେନ୍ସକୁ ବହିଷ୍କାର କରିଥିଲା। ଏହାସହିତ ପାକିସ୍ତାନୀ ଦଳ ମ୍ୟାଚ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ଟୁର୍ନାମେଣ୍ଟରୁ ହଟାଇବାର ଦାବି କରିଥିଲା, କିନ୍ତୁ ଆଇସିସି ଏହାକୁ ଦୁଇ ଥର ପ୍ରତ୍ୟାଖ୍ୟାନ କରିଥିଲା। ଏବେ ସେହି ପାଇକ୍ରଫ୍ଟଙ୍କୁ ସୁପର ଫୋର୍‌ କ୍ଲ୍ୟାଶ ପାଇଁ ରେଫରୀ ନିଯୁକ୍ତ କରାଯାଇଛି, ଯାହା ବିବାଦକୁ ଆହୁରି ବଢ଼ାଇପାରେ। ଏହି ମ୍ୟାଚ ଆଜି ସା ୮ଟାରେ (ଭାରତୀୟ ସମୟ) ଆରମ୍ଭ ହେବ।