Categories: Home Middleଖେଳ

ଏସିଆ କପ୍‌ ହାଣ୍ଡସେକ୍‌ ବିବାଦ: ଟୁର୍ଣ୍ଣାମେଣ୍ଟ ବଏକଟ୍‌ କରିପାରେ ପାକିସ୍ତାନ

ଦୁବାଇ,୧୫।୯: ଏସିଆ କପ୍‌ ୨୦୨୫ରେ ଭାରତ-ପାକିସ୍ତାନ ମଧ୍ୟରେ ହାଣ୍ଡସେକ୍‌ ବିବାଦ ବଢ଼ିବାରେ ଲାଗିଛି। ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାଣ୍ଡସେକ୍‌ ନ କରିବା ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ମ୍ୟାଚ୍‌ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ଦାୟୀ କରି ତାଙ୍କୁ ଟୁର୍ନାମେଣ୍ଟରୁ ହଟାଇବାକୁ ଦାବି କରିଛି। ନ ହେଲେ ପାକିସ୍ତାନ ଏସିୟା କପ୍‌ ବଏକଟ୍‌ କରିବାର ଧମକ୍‌ ଦେଇଛି।

ରବିବାରରେ ଭାରତ ୭ ଉଇକେଟରେ ଜିତିବା ପରେ ଅଧିନାୟକ ସୁର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଆଲୀ ଆଘାଙ୍କ ସହ ହାଣ୍ଡସେକ୍‌ କରି ନ ଥିଲେ। ଭାରତୀୟ ଖେଳାଳିମାନେ କୌଣସି ପାକିସ୍ତାନୀ ଖେଳାଡ଼ିଙ୍କ ସହ ହାଣ୍ଡସେକ୍‌ ନ କରି ଡ୍ରେସିଙ୍ଗ୍‌ରୁମ୍‌ରେ ପ୍ରବେଶ କରିଥିଲେ। ପିସିବି ପ୍ରଥମେ ରେଫରୀଙ୍କୁ ଅଭିଯୋଗ କରିଥିଲା ଏବଂ ବର୍ତ୍ତମାନ ତାଙ୍କୁ ହଟାଇବାକୁ ଦାବି କରିଛି।

ପିସିବି ଏସିୟାନ୍‌ କ୍ରିକେଟ୍‌ କାଉନ୍ସିଲ (ଏସିସି) ଓ ଆନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍ସିଲ (ଆଇସିସି)ରୁ ହସ୍ତକ୍ଷେପ ଦାବି କରିଛି। ପିସିବି ମୁଖ୍ୟ ମୋହସିନ ନକଭି, ଯିଏ ଏସିସିର ଅଧ୍ୟକ୍ଷ, ସୋସିଆଲ ମିଡିଆରେ କହିଛନ୍ତି, “ଆଇସିସି କୋଡ୍‌ ଓ କ୍ରିକେଟ୍‌ର ଆତ୍ମା ବିରୁଦ୍ଧରେ ରେଫରୀର ଉଲ୍ଲଙ୍ଘନ ପାଇଁ ପିସିବି ଆଇସିସିରେ ଅଭିଯୋଗ କରିଛି। ଏସିୟା କପ୍‌ରୁ ମ୍ୟାଚ୍‌ ରେଫରୀଙ୍କୁ ତୁରନ୍ତ ହଟାଇବାକୁ ଦାବି କରାଯାଇଛି।”

ପିସିବି ଦାବି କରିଛି ଯେ ପାଇକ୍ରଫ୍ଟ ଟସ୍‌ ସମୟରେ ସଲମାନଙ୍କୁ ଭାରତୀୟ ଅଧିନାୟକ ସହ ହାଣ୍ଡସେକ୍‌ ନ କରିବାକୁ କହିଥିଲେ।