ଇସଲାମାବାଦ/ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ମୁନୀର ଭାରତ ବିରୋଧରେ ନିୟମିତ ଭାବେ ଷଡଯନ୍ତ୍ର କରୁଥିବା ଅଭିଯୋଗ ହେଉଛି। ସେ ପାକିସ୍ତାନର ପୂର୍ବତନ ‘ତିନି ଏ’ (Army, Allah, America) ରଣନୀତିକୁ ଆଗେଇ ନେଇ ଏକ ନୂଆ ଚତୁର୍ଥ ‘ଏ’ଆଟମ (Atomic Weapons)ଯୋଡିି ‘୪ଏ’ ରଣନୀତି ପ୍ଲାନ କରିଛନ୍ତି। ଯାହା ଭାରତ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ଆଶଙ୍କା କରାଯାଉଛି।
ପାକିସ୍ତାନର ସେନା ଦୀର୍ଘ ଦିନ ଧରି ଦେଶର ରାଜନୀତି, ସମାଜ ଓ ରଣନୀତିକୁ ନିୟନ୍ତ୍ରଣ କରିଆସୁଛି। ଜେନେରାଲ ଜିଆ-ଉଲ-ହକଙ୍କ ଶାସନ କାଳରୁ ଆରମ୍ଭ ହୋଇଥିବା ‘ତିନି ଏ’ ରଣନୀତିରେ ସେନା (Army), ଧର୍ମ (Allah) ଓ ଆମେରିକାର ସମର୍ଥନ (America) ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଏହା ପାକିସ୍ତାନର ସେନାକୁ ରାଜନୈତିକ ଶକ୍ତି, ଧାର୍ମିକ ବୈଧତା ଓ ଆମେରିକାର ଆର୍ଥିକ ତଥା ରଣନୈତିକ ସହାୟତା ଯୋଗାଇ ଦେଇଥିଲା। ୨୦୨୫ରେ ଆସିମ ମୁନୀର ଏହି ରଣନୀତିରେ ‘ଆଟମ’ ବା ପରମାଣୁ ଅସ୍ତ୍ରକୁ ଯୋ ଏକ ନୂଆ ଓ ଅଧିକ ବିପଜ୍ଜନକ ଅଧ୍ୟାୟ ଆରମ୍ଭ କରିଛନ୍ତି। ସେ ଆମେରିକାର ଟାମ୍ପାଠାରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଆମେ ଏକ ପରମାଣୁ ଶକ୍ତି ସମ୍ପନ୍ନ ଦେଶ। ଯଦି ଆମେ ଭାବୁଛୁ ଆମେ ଧ୍ୱଂସ ହେବୁ, ତେବେ ଆମେ ଅଧା ବିଶ୍ୱକୁ ସାଙ୍ଗରେ ନେଇଯିବୁ। ଏହି ବୟାନ ଭାରତ ବିରୋଧରେ ସିଧାସଳଖ ପରମାଣୁ ଧମକ ବୋଲି ବିବେଚନା କରାଯାଉଛି।