ପାକିସ୍ତାନ ଜଡ଼ିତ ଥିବା ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ: ୫ ଗିରଫ

ଚଣ୍ଡିଗଡ଼,୧୭ା୧୧(ପି.ଟି.): ପଞ୍ଜାବ ପୋଲିସ ୬ଟି ଅତ୍ୟାଧୁନିକ ପିସ୍ତଲ ଏବଂ ୧.୧୦ କେ.ଜି. ହେରୋଇନ୍‌ ସହ ୫ ଜଣଙ୍କୁ ଗିରଫ କରିବା ଫଳରେ ପାକିସ୍ତାନ ଜଡ଼ିତ ଥିବା ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ ହୋଇଛି। ଗିରଫ ଅଭିଯୁକ୍ତମାନେ ପାକିସ୍ତାନରେ ଥିବା ପରିଚାଳକମାନଙ୍କ ସହ ସୋସିଆଲ୍‌ ମିଡିଆ ଏବଂ ଡ୍ରୋନ୍‌ ଯୋଗେ ଯୋଗାଯୋଗରେ ଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି। ଗୋଇନ୍ଦା ସୂଚନା ଆଧାରରେ ଅମୃତସର କମିଶନରେଟ୍‌ ପୋଲିସ ଏହି ଚଢ଼ାଉ କରି ଡ୍ରଗ୍ସ ଓ ଅସ୍ତ୍ର ଚାଲାଣ ଯୋଜନାକୁ ପଣ୍ଡ କରିଦେଇଛି। ଜବତ ଅସ୍ତ୍ର ମଧ୍ୟରେ ୫ଟି ପଏଣ୍ଟ ଥ୍ରୀ ଜିରୋ ବୋର୍‌ ଏବଂ ଗୋଟିଏ ଗ୍ଲୋକ୍‌-୯ ଏମ୍‌ଏମ୍‌ ପିସ୍ତଲ ରହିଥିବା ଡିଜିପି ଗୌରବ ଯାଦବ କହିଛନ୍ତି। ପଞ୍ଜାବରେ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପହଞ୍ଚାଇବାରେ ଡ୍ରୋନ୍‌ ବ୍ୟବହାର କରାଯାଉଥିଲା। ଅସ୍ତ୍ରଶସ୍ତ୍ର ଆଇନ, ନାର୍କୋଟିକ୍‌ ଡ୍ରଗ୍ସ ଆଣ୍ଡ୍‌ ସାଇକୋଟ୍ରପିକ ସବ୍‌ଷ୍ଟାନ୍ସ (ଏନ୍‌ଡିପିଏସ୍‌) ଆଇନ ବଳରେ ଛେହର୍ତା ଏବଂ ଅମୃତସର କ୍ୟାଣ୍ଟନମେଣ୍ଟ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଉକ୍ତ ନେଟ୍‌ଓ୍ବର୍କକୁ ଧ୍ୱଂସ କରିବା ସହ ଏହାର ପରିଚାଳକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।

 

Dharitri – The Largest & Most Trusted Odia Daily