ଭକୁଆ ହେଲା ପାକିସ୍ତାନ! ବୋକା ବନାଇଲା ଭାରତ

ନୂଆଦିଲ୍ଲୀ,୧୭।୫: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଦେଶ। ପାକିସ୍ତାନର ଏହି ହୀନ କାର୍ଯ୍ୟ ପାଇଁ ସାରା ବିଶ୍ୱ ପାକିସ୍ତାନକୁ ନିନ୍ଦା କରୁଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ବି ହେଉଛି। କୁହାଯାଉଛି ଭାରତ କୁଆଡେ ନକଲି ଲଢୁଆ ବିମାନ ପଠାଇ ପାକିସ୍ତାନକୁ ଭକୁଆ ବନେଇଥିଲା। ଅପରେଶନ ସିନ୍ଦୂରର ସଫଳତାକୁ ନେଇ ସାରା ଦେଶ ଖୁସି ମନାଉଥିବା ବେଳେ, ଏଥିରେ ବ୍ୟବହୃତ ବହୁ ରୋଚକ ରଣନୀତିକୁ ବି ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ପାକିସ୍ତାନ ଉପରେ ଅସଲି ଏୟାର୍‌ ଷ୍ଟ୍ରାଇକ କରିବା ଆଗରୁ, ଆକାଶରେ ପ୍ରଥମେ ଏକ ନକଲି ଆକ୍ରମଣର ଭ୍ରମ ସୃଷ୍ଟି କରିଥିଲା ଭାରତ। ଯାହାକି ପାକିସ୍ତାନର ଏୟାର୍‌ ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିବାରେ ସହାୟକ ହୋଇଥିଲା ବୋଲି କୁହାଯାଉଛି। ଆଉ ତା ପରେ ତାଣ୍ଡବ ରଚିଥିଲା ପ୍ରାୟ ୧୫ ବ୍ରହ୍ମୋସ।

ତେବେ ଡୁପ୍ଲିକେଟ ରାଫେଲକୁ ଖସାଇ ଖୁସି ହୋଇଥିଲା କି ପାକିସ୍ତାନ ? ଅପରେଶନ ସିନ୍ଦୂରରେ ପାକିସ୍ତାନ ବନିଥିଲା ‘ଭକୁଆ’। ଚକମା ଦେଇଥିଲା ଭାରତର ପ୍ଲାନ। ଭାରତ ପଠାଇଥିଲା ‘ଡମି’ ଏୟାରକ୍ରାଫ୍ଟ । ମେ ୯-୧୦ ରାତିରେ ଭାରତୀୟ ସେନାର ରଣନୀତି ଆଗରେ ପାକିସ୍ତାନ ଏମିତି ବୋକା ବନିଥିଲା ଯେ, ଯାହାକୁ ଏବେ ବି ସହଜରେ ହଜମ କରିପାରୁନି । ପାକିସ୍ତାନର ୧୧ ବାୟୁସେନା ଘାଟି ଉପରେ ଅସଲି ଏୟାର ଷ୍ଟ୍ରାଇକ କରିବା ପୂର୍ବରୁ, ପ୍ରଥମେ ନକଲି ଆଟାକ କରିଥିଲା ଭାରତ। ପାକିସ୍ତାନ କେଉଁଠି ନିଜର ରାଡାର୍‌ ଓ ଏୟାର ଡିଫେନ୍ସ ସିଷ୍ଟମ ଲୁଚାଇ ରଖିଛି, ତାର ଠିକଣା ଜାଣିବାକୁ ପ୍ରଥମେ ଆକାଶରେ ସୃଷ୍ଟି କରାଯାଇଥିଲା ଜୋରଦାର ଆକ୍ରମଣର ଭ୍ରମ ।
ଶତ୍ରୁ ରାଡାରରେ ଅବିକଳ ଫାଇଟର୍‌ ଜେଟ ଭଳି ଦିଶୁଥିବା ଅନମ୍ୟାନଙ୍କ ଟାର୍ଗେଟ ଏୟାରକ୍ରାଫ୍ଟ ବା ପାଇଲଟ ନଥିବା ନକଲି ଲଢୁଆ ବିମାନକୁ ପାକିସ୍ତାନ ଭିତରକୁ ଛାଡିଥିଲା। ରାତିର ଅନ୍ଧାରରେ ଆକାଶରେ କ୍ଷୀପ୍ର ଗତିରେ ମାଡିଯାଇ ଏହି ଡମି ଏୟାରକ୍ରାଫ୍ଟଗୁ ଅସଲି ଫାଇଟର୍‌ ଜେଟ ଭାବି, ସକ୍ରିୟ ହୋଇ ଉଠିଥିଲା ପାକିସ୍ତାନର ଏୟାର ଡିଫେନ୍ସ ନେଟୱର୍କ। ପାକିସ୍ତାନ ବ୍ୟବହାର କରୁଥିବା ଚାଇନା ମେଡ HQ-9 ମିଜାଇଲ ସିଷ୍ଟମ ଓ ରାଡାର୍‌ ଆଦି ଆକ୍ଟିଭେଟ ହେବା ମାତ୍ରେ, ଏହାର ସଠିକ ଲୋକେଶନ ଜାଣିପାରିଥିଲା ଭାରତ । ଆଉ ତତକ୍ଷଣାତ ସେଠାକୁ ଆତ୍ମଘାତୀ ଡ୍ରୋନ ପଠାଇ ଆଖି ପିଛୁଳାକେ ସେଗୁଡିକୁ ଧ୍ୱଂସ କରିଦେଇଥିଲା ।