ନୂଆଦିଲ୍ଲୀ,୧୬।୯: ମିଛ କହିବାର କିଛି ସୀମା ଥାଏ। ହେଲେ ସବୁକିଛି ଟପି ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତର ଅପରେସନ ସିନ୍ଦୂର’ ସମୟରୁ ସେ ଦାବି କରୁଛନ୍ତି ଯେ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରାମ (ସିଜ୍ଫାୟାର) କରାଇଥିଲେ। କିନ୍ତୁ ଏବେ ପାକିସ୍ତାନ ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ସେଭଳି କିଛି ହୋଇନାହିଁ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତ ପାକିସ୍ତାନ ସହିତ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଅସ୍ବୀକାର କରିଥିଲା।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାର କହିଛନ୍ତି ଯେ ଯେତେବେଳେ ପାକିସ୍ତାନ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଭାରତ ସହିତ ତୃତୀୟ ପକ୍ଷର ମଧ୍ୟସ୍ଥତା ବିଷୟରେ ପଚାରିଥିଲା, ଯେପରି ଟ୍ରମ୍ପ ଦାବି କରୁଛନ୍ତି, ସେତେବେଳେ ରୁବିଓ ଏହାକୁ ଅସ୍ବୀକାର କରିଥିଲେ। ଭାରତ କହିଥିଲା ଯେ ଏହା ଏକ “ଦ୍ୱିପାକ୍ଷିକ ପ୍ରସଙ୍ଗ”। ଏବେ ପାକିସ୍ତାନ ମନ୍ତ୍ରୀ ସାକ୍ଷାତକାରରେ ନିଶ୍ଚିତ କରିଛନ୍ତି ଯେ “ଭାରତ ଆମେରିକାର ସିଜ୍ଫାୟାର (ମଧ୍ୟସ୍ଥତା) ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି।”
ଡାରଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ପାକିସ୍ତାନ ଉଭୟ ଦେଶ ମଧ୍ୟରେ ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ କି ନାହିଁ, ସେତେବେଳେ ଡାର କହିଥିଲେ, ‘ଆମେ (ତୃତୀୟ ପକ୍ଷର ମଧ୍ୟସ୍ଥତାକୁ) ନେଇ କୌଣସି ଆପତ୍ତି କରୁନାହୁଁ… କିନ୍ତୁ ଭାରତ ସ୍ପଷ୍ଟ ଭାବେ କହୁଛି ଯେ ଏହା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଆମର ଦ୍ୱିପାକ୍ଷିକ ମଧ୍ୟସ୍ଥତାକୁ ନେଇ ଆପତ୍ତି ନାହିଁ। ଯେତେବେଳେ ଆମେ ୨୫ ଜୁଲାଇରେ ୱାଶିଂଟନରେ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଭେଟିଥିଲୁ, ମୁଁ ତାଙ୍କୁ ଆଲୋଚନା ବିଷୟରେ ପଚାରିଥିଲି, ସେ କହିଥିଲେ ଯେ ଭାରତର ମତ ହେଉଛି ଏହା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ।”
ଏହି ଘଟଣା ସ୍ପଷ୍ଟ କରୁଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଯେକୌଣସି ମୁଦ୍ଦାରେ ଭାରତ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ଗ୍ରହଣ କରୁନାହିଁ ଏବଂ ଏହାକୁ ଦୁଇ ଦେଶ ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପସନ୍ଦ କରୁଛି।