ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ ସହ ପାକିସ୍ତାନ ଚଳିତ ବିଶ୍ୱକପ୍ର ସୁପର-୮ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଥିବା ଅଷ୍ଟମ ତଥା ଅନ୍ତିମ ଦଳ ପାଲଟିଛି।
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୯ ରନ୍ର ଏକ ବଡ଼ ସ୍କୋର ଛିଡ଼ା କରିଥିଲା। ସାହିବଜାଦା ଫରହାନ ମାତ୍ର ୫୮ ବଲ୍ରୁ ୧୦୦ ରନ୍ର ଅପରାଜିତ ଶତକୀୟ ପାରି ଖେଳିଥିଲେ। ଅହମ୍ମଦ ଶେହଜାଦଙ୍କ ପରେ ସେ ବିଶ୍ୱକପ୍ରେ ଶତକ ହାସଲ କରିଥିବା ଦ୍ୱିତୀୟ ପାକିସ୍ତାନୀ ବ୍ୟାଟର।
ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଅଧିନାୟକ ସଲମାନ ଆଗା ୩୮ ରନ୍ କରିଥିବା ବେଳେ ଶେଷ ଭାଗରେ ଶାଦାବ ଖାନ ମାତ୍ର ୨୨ ବଲ୍ରୁ ବିସ୍ଫୋରକ ୩୬ ରନ୍ (୧ ଚୌକା, ୩ ଛକା) ସଂଗ୍ରହ କରିଥିଲେ।
୨୦୦ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ନାମିବିଆ ଦଳ ମାତ୍ର ୯୭ ରନ୍ରେ ସୀମିତ ରହିଥିଲା। ପାକିସ୍ତାନୀ ବୋଲରଙ୍କ ଘାତକ ବୋଲିଂ ଆଗରେ ନାମ୍ବିୟାର ୯ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର ମଧ୍ୟ କରିପାରିନଥିଲେ।
ପାକିସ୍ତାନର ଚର୍ଚ୍ଚିତ ବୋଲର ଉସ୍ମାନ ତାରିକ ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ନାମ୍ବିୟାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ସେହିପରି ଶାଦାବ ଖାନ ୩ଟି ୱିକେଟ୍ ହାସଲ କରିଥିଲେ। ମହମ୍ମଦ ନୱାଜ ଓ ସଲମାନ ମିର୍ଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।