ପୁଣି ପ୍ରେସ୍‌ କନ୍‌ଫରେନ୍ସ ବାତିଲ କଲା ପାକିସ୍ତାନ, ଭାରତ ବିପକ୍ଷ ମୁକାବିଲା ପୂର୍ବରୁ…

ଦୁବାଇ,୨୦।୯: ସୁଧୁରିବାର ନାଁ ନେଉନାହିଁ ପାକିସ୍ତାନ କ୍ରିକେଟ ଟିମ। ଏସିଆ କପ୍‌ ୨୦୨୫ର ସୁପର-୪ରେ ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ଦଳ ଆଇସିସି ଏକାଡେମୀରେ ହେବାକୁ ଥିବା ପ୍ରେସ କନଫରେନ୍ସ ରଦ୍ଦ କରିଛି। ଏହା ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ବିପକ୍ଷ ମ୍ୟାଚ୍‌ ପୂର୍ବରୁ ମଧ୍ୟ ପାକିସ୍ତାନ ଏକାନ୍ତ ଭାବେ ପ୍ରେସ କନଫରେନ୍ସ ରଦ୍ଦ କରିଥିଲା। ଏହା ସହିତ ଖବର ମିଳୁଛି ଯେ ୨୧ ସେପ୍ଟେମ୍ବରରେ ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ମୋଟିଭେସନାଲ ସ୍ପିକର ଡକ୍ଟର ରାହିଲଙ୍କୁ ଡାକିଛି।
ଏସିଆ କପ୍‌ ୨୦୨୫ରେ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ପ୍ରେସ କନଫରେନ୍ସ ରଦ୍ଦ କରିଛି। ଏହା ପୂର୍ବରୁ ୟୁଏଇ ବିପକ୍ଷ ମ୍ୟାଚ ପୂର୍ବରୁ ମଧ୍ୟ ସେମାନେ ଏଭଳି କରିଥିଲେ। ଏବେ ସୁପର-୪ରେ ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ପୁଣି ଥରେ ଏହି କାର୍ଯ୍ୟକଳାପ ଜାରି ରଖି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଲିଗ୍‌ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାକିସ୍ତାନକୁ ୭ ଉଇକେଟରେ ପରାସ୍ତ କରିଥିବାରୁ ପାକିସ୍ତାନ ଟିମରେ ଉତ୍ସାହରେ ଅଭାବ ଦେଖାଦେଇଛି।
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତୀୟ ଦଳ ଏସିଆ କପରେ ପାକିସ୍ତାନ ସହ ହାତ ମିଳାଇବାକୁ ମନା କରିଦେଇଥିଲା। ଏହି ନିଷ୍ପତ୍ତି ପାକିସ୍ତାନ ଦଳକୁ ପସନ୍ଦ  ଆସି ନ ଥିଲା। ଏହା ପରେ ସେମାନେ ଲଗାତାର କିଛି ନା କିଛି ବିବାଦୀୟ କାର୍ଯ୍ୟକଳାପ ଜାରି ରଖିଛନ୍ତି। ପିସିବି ମ୍ୟାଚ୍‌ ରେଫରୀ ଆଣ୍ଡ୍ରି ପାଇକ୍ରଫ୍ଟଙ୍କ ଉପରେ ଭାରତୀୟ ଦଳ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନ ନେବାର ଅଭିଯୋଗ ଲଗାଇଛି। ସେମାନେ ଧମକ ଦେଇଥିଲେ ଯେ ଯଦି ସେମାନଙ୍କ ଦାବି ପୂରଣ ନ ହୁଏ, ତେବେ ସେମାନେ ଟୁର୍ନାମେଣ୍ଟରୁ ଓହରିଯିବେ ଏବଂ ୟୁଏଇ ବିପକ୍ଷ ତୃତୀୟ ଗ୍ରୁପ୍‌ ମ୍ୟାଚରେ ବିଳମ୍ବରେ ଆରମ୍ଭ କରିଥିଲେ। ହେଲେ ଆଣ୍ଡି ପାଇକ୍ରଫ୍ଟଙ୍କ ସହ ବୈଠକ ପରେ ପିସିବି ଟୁର୍ନାମେଣ୍ଟରେ ଖେଳିବାକୁ ରାଜି ହୋଇଥିଲା।
ବିବାଦ ଏଠାରେ ଶେଷ ହୋଇ ନ ଥିଲା। ଆଇସିସି ପ୍ଲେୟାର୍ସ ଆଣ୍ଡ ମ୍ୟାଚ୍‌ ଅଫିସିଆଲ୍ସ ଏରିଆ (ପିଏମ୍‌ଓଏ)ରେ ପାଇକ୍ରଫ୍ଟଙ୍କ ସହ ହୋଇଥିବା ବୈଠକର ଭିଡିଓ ତିଆରି ଏବଂ ଅନଲାଇନ୍‌ରେ ପ୍ରକାଶ କରିବାକୁ ନେଇ ପିସିବିକୁ ଏକ ମେଲ ପଠାଇଥିଲା। ଏହାର ଜବାବରେ ପିସିବି କହିଥିଲା ଯେ ଏହା ଆଇସିସି ପ୍ରୋଟୋକଲ ଅନୁଯାୟୀ ଥିଲା। ପାକିସ୍ତାନ ଟିମ୍‌ ଉପରେ ଚାପ
ମଇଦାନ ବାହାରେ ଏହି ନାଟକୀୟ ଘଟଣା ପାକିସ୍ତାନ ଟିମ ଉପରେ ଆହୁରି ଚାପ ସୃଷ୍ଟି କରିଛି।
ସଲମାନ ଆଗାଙ୍କ ନେତୃତ୍ୱାଧୀନ ଦଳକୁ ଆଗାମୀ ମ୍ୟାଚରେ ଭାରତୀୟ ଦଳ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ହେବ। ଏହି ହାଇ-ଭୋଲଟେଜ ମୁକାବିଲାରେ ଆଣ୍ଡି ପାଇକ୍ରଫ୍ଟ ପୁଣି ଥରେ ମ୍ୟାଚ ରେଫରୀ ଭାବେ ଦାୟିତ୍ୱ ନିର୍ବାହ କରିବେ।