ନୂଆଦିଲ୍ଲୀ,୧।୧୧: ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟ୍ରେ ପରାସ୍ତ କରି ସିରିଜକୁ ୧-୧ ସମାନ କରିଛି। ତୃତୀୟ ଟି-୨୦ନିର୍ଣ୍ଣାୟକ ହେବ। ବାବର ଆଜମ ଦ୍ୱିତୀୟ ମ୍ୟାଚରେ ଅପରାଜିତ ୧୧ ରନ କରି ଏହି ଛୋଟ ଇନିଂସରେ ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ସେ ଟି-୨୦ କ୍ରିକେଟରେ ସର୍ବାଧିକ ରନ ସ୍କୋରର୍ ହୋଇଛନ୍ତି।
ମ୍ୟାଚ ବିଷୟରେ କହିବାକୁ ଗଲେ, ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ୧୧୦ ରନରେ ଅଲଆଉଟ ହୋଇଥିଲା। ଫହିମ ଅସ୍ରଫ ସର୍ବାଧିକ ୪ , ସଲମାନ ର୍ମିଜା ୩ ଏବଂ ନସିମ ଶାହ ୨ ଉଇକେଟ୍ ନେଇଥିଲେ। ଦକ୍ଷିଣ ଆଫ୍ରିକାର ଟପ-ଅର୍ଡର ଏବଂ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସମସ୍ତେ ବିଫଳ ହୋଇଥିଲେ। କ୍ୱିଣ୍ଟନ ଡି କକ ୭ ରନ, ରୀଜା ହେଣ୍ଡ୍ରିକ୍ସ ୦ ରନ, ଟୋନି ଡି ଜୋର୍ଜି ୭ ରନ ଏବଂ ମାଥ୍ୟୁ ବ୍ରିଟ୍ଜକେ ୫ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଡୋନୋଭାଲ ଫେରେରା ମଧ୍ୟ କେବଳ ୧୫ ରନ କରିପାରିଥିଲେ।
ଲକ୍ଷ୍ୟର ପିଛା କରି, ସାହିବଜାଦା ଫରହାନ ଏବଂ ସାମ ଆୟୁବ ପ୍ରଥମ ଉଇକେଟ୍ ପାଇଁ ୫୪ ରନର ଭାଗୀଦାରି କରିଥିଲେ। ଫରହାନ ସପ୍ତମ ଓଭରରେ ୨୮ ରନ କରି ଆଉଟ ହୋଇଥିଲେ। ତା’ପରେ ବାବର ଆଜମ ଆସିଥିଲେ, କିନ୍ତୁ ଅନ୍ୟ ପାର୍ଶ୍ୱରେ ସାମ ଆୟୁବ ଏକ ବିସ୍ଫୋରକ ଇନିଂସ ଆରମ୍ଭ କରିଥିଲେ ଏବଂ ୧୪ତମ ଓଭରରେ ଦଳକୁ ବିଜୟୀ କରାଇଥିଲେ। ଆୟୁବ ୩୮ ବଲରେ ଅପରାଜିତ ୭୧ ରନ କରିଥିଲେ, ଯେଉଁଥିରେ ପାଞ୍ଚଟି ଛକା ଏବଂ ଛଅଟି ଚୌକା ସାମିଲ ଥିଲା। ବାବର ୧୮ ବଲ ରେ ୧୧ ରନ କରି ଅପରାଜିତ ରହିଥିଲେ।
ବାବର ଆଜମ ଟି-୨୦ରେ ସର୍ବାଧିକ ରନ ସ୍କୋରର୍ ଭାବରେ ରୋହିତ ଶର୍ମାଙ୍କୁ ପଛରେ ପକାଇ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ରୋହିତ ଟି-୨୦ ଫର୍ମାଟ ରୁ ଅବସର ନେଇ ଟି-୨୦ରେ ୪୨୩୧ ରନ କରିଛନ୍ତି। ବାବର ଆଜମ ଏବେ ୧୩୦ ମ୍ୟାଚରୁ ୧୨୩ ଇନିଂସରେ ୪୨୩୪ ରନ କରିଛନ୍ତି।
\