ଆଫଗାନିସ୍ତାନ ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ପାକିସ୍ତାନ, ଏଥର ବଡ ଯୁଦ୍ଧ ନିଶ୍ଚିତ

ନୂଆଦିଲ୍ଲୀ,୧୭।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟିଆ ସନ୍ଧି ବୃଦ୍ଧି ନେଇ ସହମତି ହେବା କିଛି ଘଣ୍ଟା ପରେ ପାକିସ୍ତାନ ଆଫଗାନିସ୍ତାନର ପାକଟିକା ପ୍ରଦେଶର ଅର୍ଗୁନ ଓ ବେରମାଲ ଜିଲ୍ଲାରେ ଏୟାରଷ୍ଟ୍ରାଇକ କରିଛି ବୋଲି ତାଲିବାନ ଦାବି କରିଛି। ଏହି ଆକ୍ରମଣରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ଟୋଲୋ ନ୍ୟୁଜ ରିପୋର୍ଟ କରିଛି, ଯଦିଓ ଏପର୍ଯ୍ୟନ୍ତ ହତାହତର ଖବର ମିଳିନାହିଁ।

ଏହି ଆକ୍ରମଣ ଏକ ସମୟରେ ହୋଇଛି ଯେତେବେଳେ ପାକିସ୍ତାନର ଏକ ପ୍ରତିନିଧି ଦଳ କାତାରର ରାଜଧାନୀ ଦୋହାରେ ପହଞ୍ଚିଛନ୍ତି ଏବଂ ଆଫଗାନ ପ୍ରତିନିଧି ଦଳ ଶନିବାର ସେମାନଙ୍କ ସହ ଯୋଗ ଦେବେ ବୋଲି ରୟଟର୍ସ ରିପୋର୍ଟ କରିଛି। ଏହା ପୂର୍ବରୁ, ଶୁକ୍ରବାର ଉତ୍ତର ୱାଜିରିସ୍ତାନର ଖଦ୍ଦି ସେନା ଶିବିରରେ ଏକ ‘ସଂଗଠିତ ଆତ୍ମଘାତୀ ଆକ୍ରମଣ’ରେ ୭ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ତେହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଏହାର ଦାୟିତ୍ୱ ନେଇଛି।

ତେବେ ବୁଧବାର ସନ୍ଧ୍ୟା ୬ଟା (ପାକିସ୍ତାନ ଷ୍ଟାଣ୍ଡାର୍ଡ ଟାଇମ)ରୁ ଦୁଇ ଦେଶ ମଧ୍ୟରେ ୪୮ ଘଣ୍ଟିଆ ଅସ୍ଥାୟୀ ସନ୍ଧି ସ୍ଥିର ହୋଇଥିଲା। ଏହା ପୂର୍ବରୁ ସୀମାନ୍ତରେ ତୀବ୍ର ଯୁଦ୍ଧରେ ୧୨ରୁ ଅଧିକ ନାଗରିକ ନିହତ ଏବଂ ପ୍ରାୟ ୧୦୦ ଜଣ ଆହତ ହୋଇଥିଲେ। ୨୦୨୧ରେ ତାଲିବାନ କାବୁଲରେ କ୍ଷମତାକୁ ଫେରିବା ପରେ ଏହା ଦୁଇ ଦେଶ ମଧ୍ୟରେ ସବୁଠାରୁ ଭୟଙ୍କର ହିଂସାତ୍ମକ ଘଟଣା ବୋଲି ରୟଟର୍ସ ରିପୋର୍ଟ କରିଛି।

Dharitri – Odisha’s No.1 Odia Daily

Share