ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ପ୍ରସବ କଲେ ଗର୍ଭବତୀ

ଉଦଳା,୨୨ା୧୧(ସନ୍ତୋଷ କୁମାର ବାଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ପଦ୍ମପୋଖରୀ ଗ୍ରାମରୁ ପୁଣି ଜନନୀ ଯନ୍ତ୍ରଣା ଖବର ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା ପାଉଥିବା ବେଳେ ଗାଁକୁ ଆମ୍ବୁଲାନ୍ସ ନ ଆସିବାରୁ ଖଟିଆରେ ବୁହା ହୋଇଥିଲେ। ବୁହା ହୋଇ ଗାଡ଼ି ପାଖକୁ ଯିବା ସମୟରେ ଖଟିଆରେ ପ୍ରସବ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ପଦ୍ମପୋଖରୀ ପଞ୍ଚାୟତ ଧନାସାହିର ସମା ମହାକୁଡ଼ଙ୍କ ସ୍ତ୍ରୀ ନାନ୍ଦୀ ମହାକୁଡ଼ଙ୍କର ଶନିବାର ପ୍ରସବ ବେଦନା ହୋଇଥିଲା। ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ବୁଲାନ୍ସ ନାଳ ପାର ହୋଇ ନ ପାରି ଗ୍ରାମଠାରୁ ୨ କି.ମି. ଦୂରରେ ଅଟକି ରହିଥିଲା। ପରିବାର ଓ ଗ୍ରାମବାସୀ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଖଟିଆରେ ବୋହି ଆଣିବା ସମୟରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପୂର୍ବରୁ ନବଜାତକଙ୍କୁ ଜନ୍ମ ଦେଇଥିଲେ। ପରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଶାଳଚୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟ ମା’, ଶିଶୁ ସୁସ୍ଥଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ଗ୍ରାମ ରାସ୍ତା ନେଇ ପୂର୍ବରୁ ଅନେକ ବାର ଅଭିଯୋଗ ହୋଇଛି। ଆଜି ପର୍ଯ୍ୟନ୍ତ ରାସ୍ତା ହୋଇ ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଗ୍ରାମବାସୀ କହିଛନ୍ତି।