ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣକୁ ନେଇ ରବର୍ଟ ଭଦ୍ରାଙ୍କ ଏକ ବୟାନ ବିବାଦ ସୃଷ୍ଟି କରିଛି। ମଙ୍ଗଳବାର ଅପରାହ୍ନ ଘଟିଥିବା ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଭଦ୍ରା ଦାବି କରିଛନ୍ତି ଯେ ଦେଶର ବର୍ତ୍ତମାନର ମାହୋଲ ଏବଂ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ସୃଷ୍ଟ ଦୂରତା ଏହି ଆକ୍ରମଣର କାରଣ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭଦ୍ରା କହିଛନ୍ତି ଯେ, ଆତଙ୍କବାଦୀମାନେ ହତ୍ୟା ପୂର୍ବରୁ ଲୋକଙ୍କ ଧର୍ମୀୟ ପରିଚୟ ଯାଞ୍ଚ କରିଥିଲେ, ଯାହା ସରକାରକୁ ଏକ ସନ୍ଦେଶ ଦେବାର ଉଦ୍ଦେଶ୍ୟରେ କରାଯାଇଥିଲା। ସେ ଆହୁରି ଦାବି କରିଛନ୍ତି ଯେ ସରକାରର ହିନ୍ଦୁ କେନ୍ଦ୍ରିକ ନୀତି ଏହି ଆକ୍ରମଣକୁ ଉସକାଇଛି।
ଭଦ୍ରାଙ୍କ ଏହି ବୟାନ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟାର ସୃଷ୍ଟି କରିଛି। କେତେକ ଏହାକୁ ଆତଙ୍କବାଦୀ କାର୍ଯ୍ୟକୁ ସମର୍ଥନ କରିବାର ପ୍ରୟାସ ବୋଲି ସମାଲୋଚନା କରିଥିବା ବେଳେ ଅନ୍ୟମାନେ ଏହାକୁ ରାଜନୈତିକ ବୟାନ ଭାବେ ଦେଖୁଛନ୍ତି। ଏକ୍ସରେ ଏହି ବୟାନକୁ ନେଇ ତୀବ୍ର ବିତର୍କ ଚାଲିଛି, ଯେଉଁଠାରେ ଅନେକେ ଏହାକୁ “ଲଜ୍ଜାଜନକ” ଏବଂ “ଅନୁଚିତ” ବୋଲି ଅଭିହିତ କରିଛନ୍ତି।
ପହଲଗାମ ଆକ୍ରମଣକୁ ଦେଶର ଅନ୍ୟତମ ନୃଶଂସ ଆତଙ୍କବାଦୀ ଘଟଣା ଭାବେ ଦେଖାଯାଉଛି, ଯେଉଁଥିରେ ନିରୀହ ନାଗରିକମାନଙ୍କୁ ଟାର୍ଗେଟ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭଦ୍ରାଙ୍କ ବୟାନ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।