ପଦ୍ମପୁର,୨୪ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ସ୍ଥିତ ଡାକବଙ୍ଗଳାଠାରେ ବୋଡ଼ାସମ୍ବର ଠିକାଦାର ସଂଘର ବରିଷ୍ଠ ତଥା କାର୍ଯ୍ୟକାରୀ କମିଟିର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ସଂଘର ଉପସଭାପତି ଦିନେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୋଡ଼ାସମ୍ବର ଠିକାଦାର ସଂଘ ଖବରଦାତା ସମ୍ମିଳନୀରେ କହିଥିଲେ, ନିକଟରେ ହୋଇଥିବା ଓଡ଼ିଶା ମିଳିତ ଠିକାଦାର ମହାସଂଘର ଚଳିତ ୨୦ ତାରିଖ ଆନ୍ଦୋଳନର ଦାବିକୁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି ବୋଲି ଦର୍ଶାଇଥିଲେ। ଆମେ ସମସ୍ତେ ସ୍ବାର୍ଥର ଊଦ୍ଧର୍ବରେ ସଙ୍ଗଠିତ ହୋଇ ନିର୍ମାଣ ଦିଗରେ ଭଲକାମ କରିଲେ ଯାଇ ଓଡ଼ିଶା ବିକାଶରେ ସହାୟକ ହୋଇପାରିବ। ବର୍ତ୍ତମାନ ପରିସ୍ଥିତିରେ ଆମ ସଂଘର ପଦ୍ମପୁର, ପାଇକମାଳ ଓ ଝାରବନ୍ଧ ଅଞ୍ଚଳର ଠିକାଦାରମାନେ ନିଜ ମଧ୍ୟରେ ସମନ୍ବୟ ରଖି ଉନ୍ନତ ମାନର କାମ କରିବାକୁ ଅନୁରୋଧ କରିଛନ୍ତି। ସଂଘର ସମ୍ପାଦକ ଧରମ ପାଢୀ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗର ଜାରି ହୋଇଥିବା ୨୦୨୬ ଜାନୁଆରୀ ୩ ତାରିଖର ସର୍କୁଲା ରଦ୍ଦ କରିଲେ ସମସ୍ତ ଠିକାଦାର ଗୁଣବତ୍ତାର କାମ କରିପାରିବେ ବୋଲି ଆହ୍ବାନ ଦେଇଥିଲେ। ନୂତନ ସର୍କୁଲାର ଅନୁଯାୟୀ ଠିକାଦାରମାନେ ୪୦/୫୦ ପ୍ରତିଶତ କମ ରେଟରେ କାମ ହାତେଇବା ପାଇଁ ଚେଷ୍ଟାରୁ ବିରତ ରୁହନ୍ତୁ ଏବଂ ବିଭାଗୀୟ ଟେଣ୍ଡର ଚୂଡାନ୍ତ ଅଧିକାରୀଗଣ ଏହିଭଳି କମ ରେଟ୍ର ଟେଣ୍ଡରଗୁଡିକୁ ମଞ୍ଜୁରୀ ଦିଅନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି। ଯଦି ନିର୍ମାଣ ବିଭାଗର ସରକାରୀ କର୍ତ୍ତୃପକ୍ଷ ୪୦/୫୦ ପ୍ରତିଶତ କାଟିଥିବା ଠିକାଦାରମାନଙ୍କୁ କାମ କରିବାକୁ ମଞ୍ଜୁରୀ ଦେବେ, ତା ହେଲେ ଆମ ଅଞ୍ଚଳର ଗୁଣାତ୍ମକ କାମଗୁଡ଼ିକ ନିଶ୍ଚିତ ଭାବରେ ନିମ୍ନମାନର ହେବ ବୋଲି ସମ୍ପାଦକ ଧରମ ପାଢୀ ଆଶଙ୍କା ପ୍ରକାଶ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ପଡୋଶୀ ଜିଲାର ସଂଗଠନର ନୀତିକୁ ଅବଲମ୍ବନ କରି ଆମେ ମଧ୍ୟ ଆମ ନିର୍ବାଚନ ମଣ୍ଡଳୀର ସଂଘର ଠିକାଦାରମାନଙ୍କ ଭିତରେ ଏକତା ଏବଂ ସମନ୍ବୟ ରଖିବାକୁ ସେ ଦୋହରାଇଥିଲେ। ଆମ ଠିକାଦାରମାନେ ବାହାର ଅଞ୍ଚଳରେ ଟେଣ୍ଡର ନ ପକାଇବାକୁ ଏବଂ ଅନ୍ୟ ଅଞ୍ଚଳର ଠିକାଦାର ଆମ ନିର୍ବାଚନ ମଣ୍ଡଳୀ ତଥା ଏନ୍ଏସି ଟେଣ୍ଡରରେ ଭାଗ ନ ନେବାକୁ ଉପସ୍ଥିତ ଠିକାଦାରମାନଙ୍କ ତରଫରୁ ସଂପାଦକ ଧରମ ପାଢୀ ଅନୁରୋଧ କରଛନ୍ତି। ସର୍ବସମ୍ମତି କ୍ରମେ ଆଗାମୀ ଟେଣ୍ଡରଗୁଡିକ ନିଜ ଭିତରେ ପ୍ରତିଯୋଗିତା ନ କରି ସର୍ବନିମ୍ନ ଲେସ ରେଟ୍ରେ ଟେଣ୍ଡର ପକାଇ ଗୁଣାତ୍ମକ କାମ କରି ଲାଭବାନ ହୋଇପାରିବା ବୋଲି ନିଷ୍ପତ୍ତି ହୋଇଥିଲା। ବୋଡ଼ାସମ୍ବର ଠିକାଦାର ସଂଘର ସାଧାରଣ ବୈଠକ ଆଗାମୀ ମାସରେ ଅନୁଷ୍ଠିତ ହେବ ବୋଲି ସଂପାଦକ ସୂଚନା ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ସଂଘର ଉପସଭାପତି ସୁଶାନ୍ତ ନାଗ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, ନନ୍ଦ କିଶୋର ଶ୍ରୀବାସ୍ତବ, ଇକ୍ବାଲ ଅହମ୍ମଦ, ଆଶୁତୋଷ ସାହୁ, ଲକି ପଣ୍ଡା, ସୁରେଶ ଅଗ୍ରୱାଲ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।