ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଜୋର୍ ଧରିଛି। ଜିଲାରେ ଗତମାସ ଶେଷ ସପ୍ତାହରୁ ଏହା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲା ପ୍ରଶାସନ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରି ନାହିଁ। ଚଳିତ ମାସ ଶେଷ ସପ୍ତାହ ଅର୍ଥାତ୍ ଆସନ୍ତା ୨୮ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥଳେ ଚାଷୀଙ୍କ ଅମଳ ଧାନ କ୍ଷେତ, ଖଳାରେ ଖୋଲା ଆକାଶତଳେ ପଡ଼ି ରହିଛି। ମଣ୍ଡି ଖୋଲି ନଥିବାରୁ ଚାଷୀମାନେ ଶୀତ, କାକର ସହି ସେହି ଧାନକୁ ଜଗି ରହିଛନ୍ତି। ଏଭଳି ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଏହାକୁ ନେଇ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ଏହି କ୍ରମରେ ଜିଲା ପ୍ରଶାସନ ପକ୍ଷରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇ ନଥିଲେ ସୁଦ୍ଧା ମଙ୍ଗଳବାର ବରଗଡ଼ ବ୍ଲକ କଲାପାଣି ମଣ୍ଡିରେ ଚାଷୀମାନେ ବିକ୍ରି ପାଇଁ ଅମଳ ଧାନ ପୂରାଇଛନ୍ତି। ଏହା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ବରଗଡ଼ ଜିଲାରେ ସାଧାରଣତଃ ନଭେମ୍ବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥାଏ। ମାତ୍ର ଏଥର ପ୍ରଥମଥର ପାଇଁ ନଭେମ୍ବର ମାସ ଶେଷ ସପ୍ତାହରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଭଳି ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଗୋଟିଏ ପଟେ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ଜିଲାର ବିଭିନ୍ନ ରାଇସ୍ ମିଲ୍ରେ ବିଗତବର୍ଷର ଚାଉଳ ପୂରି ରହିଛି ଏବଂ ସେହି ଚାଉଳ ଉଠା ନଗଲେ ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବ ନାହିଁ ବୋଲି ମିଲର୍ସ ଆସୋସିଏଶନ ଆଗରୁ ଖବରଦାତା ସମ୍ମିଳନୀରେ ରୋକ୍ଠୋକ୍ ଶୁଣାଇ ସାରିଛି। ସେହିପରି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ସେଭଳି ଦୂରଦୃଷ୍ଟିହୀନତାକୁ ନେଇ ବିଭିନ୍ନ ଚାଷୀ ସଂଗଠନ ସମେତ ବିରୋଧୀ ବିଜେଡି ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ଏହାସତ୍ତ୍ୱେ ଧାନବିକ୍ରିରୁ ବଞ୍ଚିତ ଚାଷୀଙ୍କୁ ପଞ୍ଜୀକୃତ କରାଯାଇ ନଥିବାବେଳେ ଜିଲାର ରାଇସ୍ ମିଲ ଗୁଡ଼ିକରୁ ମଧ୍ୟ ଚାଉଳ ଖାଲି କରାଯାଇ ନାହିଁ। କେବଳ ଜିଲାରେ ରହିଥିବା ଶାସକ ଦଳର ବିଧାୟକମାନେ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ହେଲେ ସମସ୍ୟାର ସମାଧାନ ହୋଇପାରି ନାହିଁ ଏବଂ ତାହା କେବଳ ଆଲୋଚନାରେ ସୀମିତ ରହିଛି।
ଅପରପକ୍ଷେ ଧାନବିକ୍ରି ସମସ୍ୟାକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଚାଲିଥିବା ଧାରଣା ମଙ୍ଗଳବାର ନବମ ଦିବସରେ ପହଞ୍ଚିଛି। ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ହକ୍ ଦାବିରେ ଧାରଣାରେ ସାମିଲ ହୋଇଛନ୍ତି। ଶୀତ, କାକରରେ ସମସ୍ତେ ଧାରଣାରେ ବସିଛନ୍ତି। କେତେବେଳେ ଧାରଣାସ୍ଥଳରେ ଚାଷୀମାନେ ମାଣବସା ଗୁରୁବାର ପାଳନ କରୁଛନ୍ତି ତ ଆଉକେବେ ରାତିରେ କୀର୍ତ୍ତନ କରି ଅଭିନବ ପ୍ରତିବାଦ କରୁଛନ୍ତି ଏବଂ ଧାନବିକ୍ରି ପାଇଁ ସେମାନଙ୍କୁ ତୁରନ୍ତ ପଞ୍ଜୀକୃତ କରିବାକୁ ସେମାନେ ଦାବି କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହୋଇ ନାହିଁ। ଏଭଳି ସ୍ଥିତିରେ କଲାପାଣି ଅଞ୍ଚଳର ୪ଜଣ ଚାଷୀ ମଙ୍ଗଳବାର ସ୍ଥାନୀୟ ମଣ୍ଡିକୁ ପ୍ରାୟ ୬୦୦ ପ୍ୟାକେଟ୍ ଧାନ ପୂରାଇଥିଲେ। ଅଞ୍ଚଳର ଚାଷୀନେତା ଏକାଦଶିଆ ସାହୁ, ସୁରେଶ ନେକାଣ୍ଟି ପ୍ରମୁଖ ଉପସ୍ଥିତ ରହି ମଣ୍ଡିକୁ ଧାନ ପ୍ରବେଶ ସମୟରେ ପୂଜାର୍ଚ୍ଚନା କରିଥିଲେ।