ମିଲ୍‌ରେ ସ୍ଥାନାଭାବରୁ ମଣ୍ଡିରେ ବାଧକ ଧାନ ଉଠାଣ

ଭବାନୀପାଟଣା, ୨୫ା୧(ଉତ୍ତମ କୁମାର ଦାଶ): ଚଳିତ ଖରିଫରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରି ହୀନସ୍ଥା ହେଉଛି। ଟୋକନ ଠିକ୍‌ ମିଳୁନାହିଁ। ଯେଉଁ ଟୋକନ ଆସୁଛି ତାହାର ସମୟ ଅବଧିକୁ ଜାଣିଶୁଣି ବୃଦ୍ଧି କରାଯାଉଛି। ମିଲର୍ସ ଆସୋସିଏଶନର ରାଜ୍ୟ ସଭାପତି ମହେଶ ବଂଶଲ କହିଛନ୍ତି, ଧାନ ମଣ୍ଡିରୁ ଆଣି ମିଲରେ ଗଦାକରି ରଖିବା ପାଇଁ ସ୍ଥାନାଭାବ ଏକପ୍ରକାର ଉତ୍କଟ ସମସ୍ୟା ସୃଷ୍ଟି କରୁଛି। ଏଫ୍‌ସିଆଇ ଠିକଭାବେ ଚାଉଳ ଗ୍ରହଣ କରିବା ଏବଂ ବାହାରକୁ ପଠାଇବା ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି। ମିଲରେ ପୂର୍ବବର୍ଷର ଚାଉଳ ମହଜୁଦ ରହିଛି। ବର୍ତ୍ତମାନ ଧାନ ରଖିବା ସମ୍ଭବ ହେଉନାହିଁ। ହରିୟାଣା ଓ ପଞ୍ଜାବରେ କେନ୍ଦ୍ର ସରକାର ଉତ୍ପାଦିତ ଫସଲର ବିକ୍ରିବଟା ତଥା ଏଫ୍‌ସିଆଇକୁ ଯେଉଁ ଦୃଷ୍ଟିରେ ଦେଖି ମାତ୍ର ୩ମାସରେ ସବୁ କାର୍ଯ୍ୟ କରୁଛନ୍ତି, ଆମ ରାଜ୍ୟ ପାଇଁ କାହିଁକି ଏତେ ଅବହେଳା ବୋଲି ରାଜ୍ୟ ସଭାପତି ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଜାତା ମିଶ୍ରଙ୍କୁ ପଚାରିବାରେ ସେ ମଧ୍ୟ ମିଲରେ ଧାନ ଷ୍ଟୋରେଜ କରିବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଜିଲାପାଳଙ୍କୁ ଚିଠି କରି ଜଣାଇ ଦିଆଯାଇଛି। ସ୍ବତନ୍ତ୍ର ସ୍ଥାନରେ ଧାନ ରଖାଯିବା ପାଇଁ ବ୍ୟବସ୍ଥା ଜରୁରୀ ବୋଲି ଜିଲାପାଳଙ୍କ ଦୃଷ୍ଟିକୁ ନିଆଯାଇଥିବା ବିଷୟ ସିଏସ୍‌ଓ ମିଶ୍ର ପ୍ରକାଶ କରିଛନ୍ତି। ବର୍ତ୍ତମାନ ଯେଉଁ ମିଲର୍ସ ବିଲ ଦାଖଲ କରିଛନ୍ତି ତାଙ୍କ ପ୍ରାପ୍ୟ ତଦନ୍ତ କରି ଯୋଗାଇ ଦିଆଯାଉଛି। ବିଭିନ୍ନ ସମୟରେ ମଣ୍ଡିରେ ଗାଡି ପହଞ୍ଚତ୍ପାରୁ ନ ଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାହା ପଛର କାରଣ ମିଲରେ ସ୍ଥାନ ଅଭାବ। ରାଜ୍ୟ ସରକାର ଓ ସ୍ଥାନୀୟ ଯୋଗାଣ ବିଭାଗ ସମସ୍ତେ ଜାଣି ସୁଦ୍ଧା ଘଟଣାକୁ ଭିନ୍ନ ବାଟରେ ନେଉଛନ୍ତି। ଦ୍ୱିତୀୟରେ ମିଲର୍ସମାନେ ନିଜ ମିଲରେ ଧାନ ଗଚ୍ଛିତ ରଖିବା ବାବଦରେ ଯେଉଁ ପ୍ରାପ୍ୟ ପାଇବା କଥା ତାହା ବକେୟା ରଖିବା ଦ୍ୱାରା ମିଲର୍ସଙ୍କ ପକ୍ଷରୁ ସ୍ବର ତୀବ୍ର ହୋଇଥିଲା। ଶେଷରେ ଏବେ ଧାନ ଷ୍ଟୋରେଜ ପାଇଁ ବିଲ ଦାଖଲ ପରେ ଟଙ୍କା ଦିଆଯାଉଛି। କିନ୍ତୁ ଜିଲାର ସମସ୍ତ ମିଲର୍ସ ଟଙ୍କା ପାଇନାହାନ୍ତି। ୨୦୨୩-୨୪ରୁ ଏହି ଟଙ୍କା ଯୋଗାଣ ବିଭାଗ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରି ଚାଲିଛନ୍ତି। ଏଯାବତ ମଣ୍ଡିରୁ ଧାନ ଆଣି ମିଲରେ ରଖିବା ପ୍ରାପ୍ୟ ଆନୁମାନିକ ୫କୋଟିରୁ ଊର୍ଦ୍ଧ୍ୱ ବୋଲି ସଭାପତି ବଂଶଲ କହିଛନ୍ତି।

 

Dharitri – The Largest & Most Trusted Odia Daily