ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର ଆପ୍ଲିକେସନ(ଓରସାକ) ଦ୍ୱାରା କରାଯାଉଥିବା ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର। ଛତ୍ରପୁର ବ୍ଲକ ବଡମାଧପୁର ପଚାଂୟତ ଅଧିନ ମା’ କାଳିଜାଇ ମହିଳା ସ୍ବୟଂ ସହାୟକ ସଂଘରେ ଚାଷୀ ଜଣକ ଖାତା ନଂ ୭୭୦ ଯାହାର ପ୍ଲଟ ନଂ ୨୪୬୮ର ଧାନ ଫସଲ କରାଯାଇଥିବା ଦର୍ଶାଇ ଚାଷୀ ସୋସାଇଟରେ ପଞ୍ଜିକରଣ କରିଛନ୍ତି । କିନ୍ତୁ ସମବାୟ ବିଭାଗ ପକ୍ଷରୁ କରାଯାଇଥିବା ଯାଞ୍ଚ ସମୟରେ ମଧ୍ୟ ତାହା ଧରାପଡି ନ ଥିବାବେଳେ ସାଟେଲାଇଟ ଧରାପଡିଛି, ଯାହାକି ଏବେ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଯେଉଁ ସ୍ଥାନରେ ପେଟ୍ରୋଲ ପମ୍ପ ରହିଛି,ଉକ୍ତ ସ୍ଥାନର କିସମ ପରିବର୍ତ୍ତନ ହୋଇ ନ ଥିବା ସୂଚନା ମିଳିଛି । ତେବେ ଯେଉଁମାନେ ମିଥ୍ୟା ପ୍ଲଟ ଦର୍ଶାଇ ଚାଷ ଜମି ହୋଇଛି ବୋଲି ପଞ୍ଜିକରଣ କରିଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯିବା ନେଇ ୨୩ ଡିସେମ୍ବର ୨୦୨୫ରେ ସମବାୟ ବିଭାଗ ପକ୍ଷରୁ ଚିଠି ଆସିଛି । ତେବେ ଯେଉଁ ସମବାୟ ବିଭାଗ ଯାଞ୍ଚବେଳେ ତୃଟିକୁ ଧରିପାରି ନ ଥିଲେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ କି । ଏନେଇ ଉକ୍ତ ସୋସାଇଟ ସଂପାଦକକୁ ପଚାରିବାରେ ଏଠାରେ ଧାନ ଚାଷ ହୋଇ ନ ଥିବା ଲେଖିଥିଲେ। କିନ୍ତୁ କିପରି ଧାନ ଚାଷ ହୋଇଛି ତାହା ଭୁଲବଶତଃ ହୋଇଯାଇଥିବା ବୋଲି କହିଥିଲେ । ଏପରିକି ଏଠାରେ ୬୯୯ଟି ପ୍ଲଟ ଚଳିତଥର କଟାଯାଇଛି ବୋଲି କହିଥିଲେ।
କେବଳ ପେଟ୍ରୋଲ ପମ୍ପ ନୁହେଁ, ଏବେ ବି ଜିଲାରେ ଧାନ ଚାଷରେ ଆଦୌ ଚିହ୍ନବର୍ଣ୍ଣ ନ ଥିବା ପ୍ଲଟକୁ ମଧ୍ୟ ଧାନ ଚାଷ ହୋଇଥିବା ଦର୍ଶାଇ ଚାଷୀ ପଞ୍ଜିକରଣ କରିଛନ୍ତି । କେଉଁଟି ପୋଖରୀ,ନଦୀ, ଜଙ୍ଗଲ ରହିଛି ,କେଉଁଠି ଘାସବଣ,ଅନାବାଦୀ, ଟାଙ୍ଗରା ଭୁଇଁ ରହିଛି ସେଠାରେ ମଧ୍ୟ ଚାଷ ଜମି ହୋଇଥିବା ଦର୍ଶାଇ ଚାଷୀ କରିଛନ୍ତି ପଞ୍ଜିକରଣ। ଧାନ କିଣାରେ ସ୍ବଚ୍ଛତା ଆଣିବା ପାଇଁ ସାଟେଲାଇଟ ସର୍ଭେ କରାଯାଉଛି । ଏନେଇ ଜିଲାକୁ ୨ ଲକ୍ଷ ୩୩ ହଜାର ୪୩୮ ସଂନ୍ଦିଗ୍ଧ ପ୍ଲଟ ରହିଥିବା ନେଇ ରାଜ୍ୟ ସରାକରଙ୍କ ପକ୍ଷରୁ ଏକ ଚିଠି ଆସିଥିବା ଡିଆରସିଏସ ଜୋଗମୟା ସାବତ ସୂଚନା ଦେଇଛନ୍ତି । ଏହି ସନ୍ଦେହ ରହିଥିବା ପ୍ଲଟକୁ ସାଟେଲାଇଟ ସର୍ଭେ କରାଯାଉଛି। ଜିଲାରେ ଏଯାବତ ୯୫ ପ୍ରତିଶତ ସର୍ଭେ ସରିଥିବା କୁହାଯାଇଛି । ଏହି ସର୍ଭେ ବେଳେ ୧ ଲକ୍ଷ ୭୧ ହଜାର ୬୧୯ ପ୍ଲଟ ଅଣଧାନ(ନନପେଡି) ଜମି ବୋଲି ସୂଚନା ମିଳିଛି । ସର୍ଭେ ସରିବା ପରେ ବହୁ ନକଲି ଚାଷୀ ପଞ୍ଜିକରଣରୁ କାଟିବେ। ଚଳିତ ବର୍ଷ ଖରିଫ ସମୟରେ ଜିଲାରେ ୧ ଲକ୍ଷ ୫୬ ହଜାର ୭୧୩ ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ୨୪/୨୫ ବର୍ଷରେ ୧ ଲକ୍ଷ ୪୬ ହଜାର ୫୦୪ ଜଣ ପଞ୍ଜିକରଣ କରିଥିଲେ।

 

Dharitri – Odisha’s No.1 Odia Daily