ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଦୁଇଦିନ ଧରି ଚାଲିଥିବା ଓଡ଼ିଶା କୃଷକ ସଭାର ଗଞ୍ଜାମ ଜିଲା ସମ୍ମିଳନୀ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି।
ଉଦ୍ଯାପନୀ ସଭାରେ କୃଷକ ସଭାର ଜିଲା ସଭାପତି ପି.ହରିକୃଷ୍ଣ ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ। କୃଷକ ସଭାର ରାଜ୍ୟ ସଭାପତି ଜମେଶର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲାର ବିଭିନ୍ନ ଗ୍ରାମରୁ ୮୬କୃଷକ ପ୍ରତିନିଧି ସମ୍ମିଳନୀରେ ଉପସ୍ଥିତ ଥିଲେ। ଭାଗ ଚାଷୀ ଆଇନ, ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦର(ଏମ୍ଏସପି)କୁ ଆଇନ୍ରେ ପରିଣତ କରାଯିବା, ଜମିହୀନ, ଗୃହହୀନଙ୍କୁ ପଟ୍ଟା ପ୍ରଦାନ କରିବା, ଜନଜାତି ବର୍ଗଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ନେଇ ପ୍ରସ୍ତାବ ଆଗତ କରାଯାଇ ସଭାରେ ବିଧିବଦ୍ଧ ଭାବେ ଅନୁମୋଦନ କରାଯାଇଥିଲା।
ପରେ ୩୧ ସଭ୍ୟାସଭ୍ୟଙ୍କୁ ଜିଲା କମିଟି ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। କୃଷକ ସଭାର ଜିଲା ସଭାପତି ଭାବେ ପି. ହରିକୃଷ୍ଣ ରେଡ୍ଡୀଙ୍କୁ ପୁଣି ଥରେ ମନୋନୀତ କରାଯାଇଥିବା ବେଳେ, ଜିଲା ସମ୍ପାଦକ ଭାବେ ପି. ଶିବ ଶଙ୍କର, ଉପସଭାପତି ଭାବେ କୈଳାଶ ଷଡ଼ଙ୍ଗୀ, ଯୋଗେଶ ସାହୁ, କୋଷାଧକ୍ଷ ଭାବେ ଗୋପାଳ ପାଣିଗ୍ରାହୀଙ୍କୁ ଚୟନ କରାଯାଇଥିଲା।
ଉଦ୍ଯାପନୀ ସଭାରେ ବରିଷ୍ଠ ସଦସ୍ୟ ଅଶ୍ୱିନୀ କୁମାର ଦାସ, କୈଳାଶ ଷଡ଼ଙ୍ଗୀ ଏବଂ ଗୋପାଳ ପାଣିଗ୍ରାହୀଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଆସନ୍ତା ଅକ୍ଟୋବର ୨୬, ୨୭ ଓ ୨୮ ତାରିଖ ୩ ଦିନ ଧରି ନୟାଗଡ଼ ଜିଲା ରଣପୁରଠାରେ ହେବାକୁ ଥିବା ଓଡିଶା କୃଷକ ସଭାର ରାଜ୍ୟ ସମ୍ମିଳନୀରେ ଜିଲାରୁ ୨୦ଜଣ ପ୍ରତିନିଧି ଯୋଗଦେବା ପାଇଁ ତାଲିକା ନିର୍ଦ୍ଧାରଣ କରାଯାଇଥିଲା। ସଭା ଶେଷରେ ସମ୍ମିଳନୀ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ କୁରେଶୁ ପଣ୍ଡା ଶୁଭେଚ୍ଛା ଅଭିଭାଷଣ ପ୍ରଦାନ କରିଥିଲେ। କୃଷକ ସଭାର ଦିଗପହଣ୍ଡି ବ୍ଲକ ସଭାପତି ସୁଶାନ୍ତ କୁମାର ଷଡଙ୍ଗୀ ଓ କାର୍ଯ୍ୟକର୍ତ୍ତା ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।