ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେବେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ନୂତନ ଅଧ୍ୟୟନ ଅନୁଯାୟୀରୁ ଏହି ଖୁଲାସା ହୋଇଛି। ଯଦି ବିଶ୍ୱର ହାରାହାରି ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଏ, ତେବେ ୨୦୫୦ ସୁଦ୍ଧା ମୋଟ ଜନସଂଖ୍ୟାର ପ୍ରାୟ ଅଧା ଅତ୍ୟଧିକ ଗ୍ରୀଷ୍ମ ପ୍ରବାହର ଶିକାର ହେବେ।

ଭାରତ, ନାଇଜେରିଆ, ଇଣ୍ଡୋନେସିଆ, ବାଲାଂଦେଶ ଏବଂ ପାକିସ୍ତାନ ଭଳି ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରଗୁଡିକ ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। କେବଳ ଏସିଆ-ଆଫ୍ରିକା ନୁହେଁ, ବରଂ ଅଷ୍ଟ୍ରିଆ, କାନାଡ଼ା, ନରୱେ ଏବଂ ଆୟରଲ୍ୟାଣ୍ଡ ଭଳି ଶୀତଳ ଦେଶଗୁଡ଼ିକରେ ମଧ୍ୟ ଗରମ ଦିନର ସଂଖ୍ୟା ୧୫୦% ରୁ ୨୩୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ଶୀତଳ ଦେଶଗୁଡ଼ିକର ଘର ଓ ପରିବହନ ବ୍ୟବସ୍ଥା ଥଣ୍ଡାକୁ ରୋକିବା ପାଇଁ ପ୍ରସ୍ତୁତ ହୋଇଛି। କିନ୍ତୁ ଅତ୍ୟଧିକ ଗରମକୁ ସହିବା ପାଇଁ ସେଠାକାର ଭିତ୍ତିଭୂମି ଅନୁପଯୁକ୍ତ, ଯାହା ଏକ ବଡ଼ ସମସ୍ୟା ସୃଷ୍ଟି କରିବ।

ଅଧ୍ୟୟନର ମୁଖ୍ୟ ଡକ୍ଟର ରାଧିକା ଖୋସଲାଙ୍କ ଅନୁଯାୟୀ, ତାପମାତ୍ରା ବୃଦ୍ଧି ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏବଂ ପ୍ରବାସ ଉପରେ ଅପୂରଣୀୟ ପ୍ରଭାବ ପଡ଼ିବ। ଏହା ସହିତ କୁଲିଂର ଚାହିଦା ବଢ଼ିବ, ଯାହା କାର୍ବନ ନିର୍ଗମନକୁ ଆହୁରି ବୃଦ୍ଧି କରିବାର ସମ୍ଭାବନା ରହିଛି।

ବିଶେଷଜ୍ଞଙ୍କ ମତରେ, ତାପମାତ୍ରା ୧.୫ ଡିଗ୍ରୀ ଅତିକ୍ରମ କରିବା ପୂର୍ବରୁ ହିଁ ବିଶ୍ୱର ବିଭିନ୍ନ ଦେଶକୁ ନିଜର ରଣନୀତିରେ ପରିବର୍ତ୍ତନ କରିବାକୁ ପଡ଼ିବ।

Share