ଦାରିଙ୍ଗବାଡି,୫/୫ (ଅରୁଣ ସାହୁ): ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି। ଗାଈକୁ ଖାଦ୍ୟ ଖୁଆଇଲେ ବହୁ ପୁଣ୍ୟ ମିଳିଥାଏ। କିନ୍ତୁ କିଛି ଲୋକ ଥାନ୍ତି ପଶୁମାନଙ୍କ ସହ ଅମାନୁଷିକ ଆଚରଣ କରନ୍ତି। ଏହାର ସଦ୍ୟତମ ଉଦାହରଣ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିରେ ଦେଖିବାକୁ ମିଳିଛି।
ଜଣେ ମାଲିକ ତାଙ୍କ ଗାଈକୁ ଏକ ଚଳନ୍ତା ଅଟୋରେ ବାନ୍ଧି ତାକୁ ଜୋର ଜବରଦସ୍ତ ଟାଣି ନେଉଛନ୍ତି। ଅଟୋର ଯାନ୍ତ୍ରିକ ବଳରେ ଗାଈର ବେକଟି ଟାଣି ହୋଇପଡୁଛି ଓ ସେ ବାଧ୍ୟ ହୋଇ ଅଟୋ ସହ ତାଳ ଦେଇ ଦୌଡିବାକୁ ଲାଗୁଛି। ଏଭଳି ଦୃଶ୍ୟକୁ ଦେଖି ଲୋକେ ଅଟୋ ଚାଳକଙ୍କୁ ଏହା ନ କରିବାକୁ ତାଗିଦ କରୁଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏହାର ଭିଡିଓ ଓ ଫଟୋ ଏବେ ମୋବାଇଲକୁ ମୋବାଇଲ ଘୁରିବୁଲୁଛି। ଏହି ଦୃଶ୍ୟକୁ ଲୋକମାନେ ନିନ୍ଦା କରୁଥିବା ଜଣାପଡିଛି।