ମଧ୍ୟପ୍ରାଚ୍ୟରେ ଫସି ରହିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ: ବାଟ ଚାହିଁ ବସିଛନ୍ତି ପରିବାର ଲୋକେ

ପାରଳାଖେମୁଣ୍ଡି,୩ା୩(ଗିରିଧାରୀ ପରିଚ୍ଛା):ବିଶ୍ୱର ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଆମେରିକା, ଇରାନ, ଇସ୍ରାଇଲ ମଧ୍ୟରେ ଏବେ ଯୁଦ୍ଧ ଚାଲିଛି। ଏହି ସ୍ଥିତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଅନେକ ପ୍ରବାସୀ ଭାରତୀୟ କାତାର, ଇରାନ, ଇରାକ, ଆବୁଧାବୀ, ବେହେରାନ୍‌ ଆଦି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇ ରହି ଆସୁଥିଲେ। ସେମାନେ ଏବେ ଭାରତକୁ ଏବଂ ନିଜ ଗାଁକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଫେରି ନ ପାରି ଫସି ରହିଛନ୍ତି। ଏହି ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ଗଜପତି ଜିଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ଏବଂ ବଡକତୁରୁ ଗ୍ରାମର ୫୦ରୁ ଅଧିକ ପରିବାରର ସଦସ୍ୟ ରହିଛନ୍ତି। ସେମାନେ ଦାଦନ ଖଟିବାକୁ ଉପରୋକ୍ତ ଅଞ୍ଚଳକୁ ଯାଇ ରହିଛନ୍ତି। ସମ୍ପୃକ୍ତ ପରିବାରର ଲୋକେ ଗାଁରେ ସେମାନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। କେଉଁ ପରିବାରର ଭାଇ ତ କେଉଁ ପରିବାରର ସ୍ବାମୀ, କାହାର ପୁଅ କାହାର ପୁତୁରା ଓ କାହାର ଭଣଜା ଯାଇ ସେଠାରେ ଅଛନ୍ତି। ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଏଲ ମିଡିଆରେ ଯୁଦ୍ଧ ସମ୍ପର୍କିତ ବିଭିନ୍ନ ଫଟୋ ଓ ଭିଡିଓ ଦେଖି ପ୍ରବାସୀ ଓଡ଼ିଆଙ୍କ ପରିବାର ଲୋକେ ସର୍ବଦା ଚିନ୍ତାରେ ରହୁଛନ୍ତି। ଜଙ୍ଗଲପାଡୁ ଗ୍ରାମର ଅଧିକାଂଶ ପରିବାରର ଲୋକେ ଜୀବନ ଜୀବିକା ପାଇଁ ବାହାର ଦେଶକୁ ଯାଇ କାମ କରୁଛନ୍ତି। ଏହି ଗ୍ରାମର ଲୋକେ ନିଜ ପ୍ରିୟଜନଙ୍କ ସହ ଫୋନ୍‌ରେ କଥା ହେଉଛନ୍ତି ସତ, ମାତ୍ର ସେମାନଙ୍କ ମନରେ ଖୁସି ନାହିଁ। ମଧ୍ୟପ୍ରାଚ୍ୟର ଦେଶଗୁଡିକରେ ରହୁଥିବା ପରିବାରଗୁଡିକର ଲୋକଙ୍କୁ ସୁରକ୍ଷାର ସହ ଭାରତକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଜଙ୍ଗଲପାଡୁ ଗ୍ରାମର ଶାନ୍ତିଲତା ଜେନାଙ୍କ ଦୁଇ ପୁଅ ଆବୁଧାବିରେ ରହିଥିବା ବେଳେ ତାଙ୍କ ପୁତୁରା ଓ ଭଣଜା କାତାର ଏବଂ ଇରାନରେ ରହିଛନ୍ତି। ସେହିଭଳି କଲ୍ୟାଣୀ ସାମଲଙ୍କ ପୁଅ ଦୁବାଇରେ ଗୋଟିଏ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ପୁଷ୍ପା ନାୟକଙ୍କ ସ୍ବାମୀ ଦୁବାଇରେ କୌଣସି କମ୍ପାନୀରେ କାମ କରୁଛନ୍ତି।

 

Dharitri – Odisha’s No.1 Odia Daily

 

Share