ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭା କକ୍ଷରେ ଶନିବାର ସମ୍ଭବ ସାହିତ୍ୟ ପରିବାର ଓ ଶ୍ରୀ ବିଘ୍ନରାଜ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭଞ୍ଜ ସାହିତ୍ୟ କୃତୀ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସମ୍ଭବ ପତ୍ରିକା ଓ ଆକାଶ ଛାତିରେ ବର୍ଷାର ଛିଟା (ଗଳ୍ପ) ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଘୁମୁସର ମାଟିରେ ବିଶ୍ୱ ପ୍ରସିଦ୍ଧ କବି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ। ତାଙ୍କର ଲେଖା ବହୁ ଉଚ୍ଚକୋଟିର। କିନ୍ତୁ ଏହିଭଳି ଜଣେ ବିଶ୍ୱପ୍ରସିଦ୍ଧ କବିଙ୍କ କାବ୍ୟ, ଇତିହାସ ବିଗତ ଦିନରେ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବ ଥିଲା। ମୁଁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ଘୁମୁସର ଇତିହାସ ଏବଂ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟର ପ୍ରଚାର ପ୍ରସାର ପାଇଁ ଚେଷ୍ଟା ଚଳାଇଛି। ଆଗାମୀ ଦିନରେ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ଘୁମୁସରରୁ ଦିଲ୍ଲୀ ପର୍ଯ୍ୟନ୍ତ କରାଯିବ ବୋଲି ବିଧାୟକ ନାୟକ କହିଥିଲେ।
ଅନୁଷ୍ଠାନର ସଭାପତି ଡ. ଶ୍ୟାମାପ୍ରସାଦ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ, ଆମ ଭଞ୍ଜ, ଆମ ଅସ୍ମିତା। ବିଶ୍ୱ ଭାରତୀ ଶାନ୍ତିନିକେତନର ସହକାରୀ ପ୍ରଫେସର ଡ. ଶରତ କୁମାର ଜେନା, ଅବସରପ୍ରାପ୍ତ ପ୍ରଫେସର ଡ ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଡ. ଶ୍ୟାମା ପ୍ରସାଦ ମିଶ୍ର, ଝାଡ଼ଭୂମି ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁ ଯୋଗଦେଇଥିଲେ।। ସଭାକୁ କବି ରଞ୍ଜିତ କୁମାର ପ୍ରଧାନ ସଂଯୋଜନା କରିଥିଲେ। ରତ୍ନାକର ସିୟ ମଞ୍ଚ ପରିଚାଳନା କରିଥିଲେ। ସମ୍ଭବ ସାହିତ୍ୟର ସମ୍ପାଦିକା ଡ. ରୋଜାଲିନ ସେନାପତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ହୋଇଥିଲା। ଏଥିରେ ଇ. ବିଜୟ ମିଶ୍ର ମୁଖ୍ୟ ଅତିଥି, ବଂଶୀଧର ସେଠୀ, ଡ. ଲକ୍ଷ୍ମୀ ନାରାୟଣ ଦାସ, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଡ. ଦୀପକ କୁମାର ମିଶ୍ର, ପ୍ରଭାତୀ ମଞ୍ଜରୀ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଅନେକ କବି ଯୋଗଦେଇ ନିଜର କବିତା ପାଠ କରିଥିଲେ। ଏଥିରେ ସଭାପତିତ୍ୱ କରିଥିଲେ ରାଜେଶ କୁମାର ପାତ୍ର।