ଜୁଲାଇ ୩୦ରେ ଓଏସ୍‌ଏସ୍‌ସିର ଆକାଉଣ୍ଟାଣ୍ଟ ପରୀକ୍ଷା -ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁ ପୂର୍ବରୁ ବାତିଲ ହୋଇଥିଲା

ଭୁବନେଶ୍ୱର,୨।୫(ବ୍ୟୁରୋ): ବାତିଲ ହୋଇଥିବା ଓଏସ୍‌ଏସ୍‌ସି ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା ପୁଣି ଅନୁଷ୍ଠିତ ହେବ। ଆସନ୍ତା ଜୁଲାଇ ୩୦ରେ ଏହି ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ହେବ ବୋଲି ମଙ୍ଗଳବାର ଓଏସ୍‌ଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଜିଲା ମୁଖ୍ୟାଳୟରେ ଗୋଟିଏ ସିଟିଂରେ ଓଏମ୍‌ଆର୍‌ ମୋଡରେ ଏହି ପରୀକ୍ଷା ହେବ। ସୂଚନା ଥାଉ କି, ଏପ୍ରିଲ ୨୩ରେ ପ୍ରଶ୍ନପତ୍ରରେ ତ୍ରୁଟି ଯୋଗୁ ଏହି ପରୀକ୍ଷା ବାତିଲ ହୋଇଥିଲା। ବିଶେଷ ଭାବେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ପରୀକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପଢି ବୁଝିବା ସମ୍ଭବପର ହୋଇ ନ ଥିଲା। ଏନେଇ ଅଭିଯୋଗ ପରେ ପରୀକ୍ଷା ବାତିଲ କରାଯାଇଥିଲା। ୬୫ଟି ଆକାଉଣ୍ଟାଣ୍ଟ ପଦ ପାଇଁ ରାଜ୍ୟର ସମସ୍ତ ଜିଲାରେ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା। ପ୍ରାୟ ୫୦ ହଜାର ଛାତ୍ରୀଛାତ୍ର ଓଏମ୍‌ଆର୍‌ ମାଧ୍ୟମରେ ପରୀକ୍ଷା ଦେଇଥିଲେ।