ସାଲୁର୍‌ ଘାଟରେ OSRTC ବସରେ ଲାଗିଗଲା ନିଆଁ , ଘାଟି ଉଠୁଥିବାବେଳେ ହଠାତ୍‌…

ପଟ୍ଟାଙ୍ଗି,୬।୧୧(ଶରତ କୁମାର ଧଳ): କୋରାପୁଟ ଜିଲାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ରାଜ୍ୟର ସାଲୁର୍‌ ଘାଟରେ ଭୋର୍‌ ସକାଳୁ ଏକ OSRTC ବସରେ ନିଆଁ ଲାଗି ଯାଇଛି। ଏହି ଘଟଣାରେ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ସହ ଘଟଣା ସ୍ଥଳ ଦେଇ ଉଭୟ ଆନ୍ଧ୍ର ଏବଂ ଓଡିଶାର କୋରାପୁଟ ଅଭିମୁଖେ ଆସୁଥିବା ସମସ୍ତ ଯାନବାହନ ଅଟକି ରହିଥିବା ବେଳେ ରାସ୍ତା ଜାମ ହୋଇ ଥିବା ଜଣାପଡିଛି ।

ସୂଚନା ଅନୁଯାଇ ଆନ୍ଧ୍ର ରାଜ୍ୟର ବିଜୟନଗରମ ଠାରୁ ଭୋର୍‌ ସକାଳୁ ୫ଟା ସମୟରେ ଓଡିଶାର ଜୟପୁର ଅଭିମୁଖେ ଆସୁଥିବା OSRTC ବସ OD10 S 6754 ଉକ୍ତ ବସଟି ସାଲୁର୍‌ ଘାଟରେ ପହଞ୍ଚିବାବେଳେ ପ୍ରାୟ ୭ଟା ୨୦ ମିନିଟ ରେ ହଠାତ ନିଆଁ ଲାଗି ଯାଇଥିଲା। କିନ୍ତୁ ବସରେ ରହିଥିବା ଦୁଇ ଯାତ୍ରୀଙ୍କ ସହ ବସ ଡ୍ରାଇଭର ଓ କଣ୍ଡକ୍ଟର ସୁରକ୍ଷିତ ଭାବେ ଓହ୍ଲାଇ ପଡିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବସ ଡ୍ରାଇଭରଙ୍କ କହିବା ଅନୁସାରେ ବସଟି ଘାଟି ଉଠୁଥିବା ସମୟରେ ବସର ଡେକ୍ସ ବୋର୍ଡରୁ ସଟ ସର୍କିଟ ହେବା ଫଳରେ ହଠାତ ନିଆଁ ଲାଗି ଯାଇଥିଲା । ବସରେ ରହିଥିବା ନିଆଁ ନିୟନ୍ତ୍ରଣ ଗ୍ୟାସ ରହିଥିବା ବେଳେ ଉକ୍ତ ଗ୍ୟାସରେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ନିଆଁ ଲିଭି ନ ଥିଲା । ଏପରି କି ଘଟଣାସ୍ଥଳ ଦେଇ ଯାଉଥିବା ଅନ୍ୟ ଗାଡ଼ିରୁ ମଧ୍ୟ ଗ୍ୟାସ ଆଣି ନିଆଁ ଲିଭାଇବା ପାଇଁ ଚେଷ୍ଟା କରା ଯାଇଥିଲେ ମଧ୍ୟ ନିଆଁ ଲିଭି ନ ଥିଲା ବୋଲି ପ୍ରକାଶ କରିଛନ୍ତି । ବସରେ ନିଆଁ ଲାଗି ଯାଇଥିବା ଖବର ପାଇ ଆନ୍ଧ୍ର ରାଜ୍ୟର ସାଲୁର୍‌ ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳେ ପହଞ୍ଚି ବସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପରେ ଘଟଣା ସ୍ଥଳ ଦେଇ ସମସ୍ତ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ବିଜୟନଗରମ ଡି ଏମ ରବିନ୍ଦ୍ର କୁମାର ବେହେରା ଘଟଣା ସ୍ଥଳକୁ ବାହାରି ଥିବା ବେଳେ ଜୟପୁର ଡି ଏମ ଇଶ୍ୱର ମହାପାତ୍ର ଦାୟିତ୍ୱରେ ରହିଥିବାରୁ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ଏଠାରେ ସୂଚନା ଥାଉ କି ବସଟି ଗତ ଦୁଇଦିନ ହେଲା ସ୍ବତନ୍ତ୍ର ବସ ଭାବେ ବିଜୟନଗରମରୁ ଜୟପୁର ଅଭିମୁଖେ ଚାଲିବା ଆରମ୍ଭ ହୋଇଥିଲା ।