ଦଳିତ ମୁସଲମାନ-ଖ୍ରୀଷ୍ଟିଆନମାନଙ୍କୁ ଅନୁସୂଚିତ ଜାତି ମାନ୍ୟତା ନାହିଁ…

ନୂଆଦିଲ୍ଲୀ,୧୦।୧୧ : ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଦେଶରେ ଅନୁସୂଚିତ ଜାତି (ଏସସି) ମାନ୍ୟତା ଦିଆଯାଇ ନାହିଁ। ସେମାନଙ୍କୁ ଏସସି ସଂରକ୍ଷଣ ଅଧୀନରେ ଚାକିରି ଏବଂ ଶିକ୍ଷା ଅନୁଷ୍ଠାନରେ କୌଣସି ସଂରକ୍ଷଣ ଦିଆଯାଇ ନଥାଏ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଏହା କହିଛନ୍ତି।

କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ କେବଳ ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ସମ୍ପ୍ରଦାୟର ଲୋକଙ୍କ ପାଇଁ ଉପଲବ୍ଧ। ସମ୍ବିଧାନ (ଅନୁସୂଚିତ ଜାତି) ଅର୍ଡର ୧୯୫୦ ଅନୁଯାୟୀ ଏହି ସଂରକ୍ଷଣ ପ୍ରଦାନ କରାଯାଇଛି ।

ସରକାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ଯେଉଁ ମାନଙ୍କୁ ଦଳିତ କୁହାଯାଉଥିଲା, କିନ୍ତୁ ପରେ ଇସଲାମ କିମ୍ବା ଖ୍ରୀଷ୍ଟିଆନ ଧର୍ମକୁ ଯାଇଥିଲେ, ଯେହେତୁ ଏହି ଦୁଇ ଧର୍ମରେ ସାମାଜିକ ଅସ୍ପୃଶ୍ୟତା ନାହିଁ। ତେଣୁ ଏସସି ମାନ୍ୟତା ନାହିଁ। ସମ୍ବିଧାନ (ଅନୁସୂଚିତ ଜାତି)ନିର୍ଦ୍ଦେଶ ୧୯୫୦କୁ ଅନେକ ଆବେଦନ ମାଧ୍ୟମରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହି ଶୁଣାଣି ସମୟରେ କେନ୍ଦ୍ର ସରକାର ନିଜର ପକ୍ଷ ଉପସ୍ଥାପନ କରି ଏଭଳି କହିଛନ୍ତି।

ଇସଲାମ କିମ୍ବା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ମଧ୍ୟ ସଂରକ୍ଷଣ ପ୍ରଦାନ କରାଯିବାକୁ ଏହି ନିବେଦନ କରାଯାଇଛି। କେନ୍ଦ୍ର କହିଛି ଯେ ଅନୁସୂଚିତ ଜାତି ସ୍ଥିତି ଏକ ସାମାଜିକ ପଛୁଆବର୍ଗ ଉପରେ ଧ୍ୟାନ ଦେଇଥାଏ। ଏହି ସୁବିଧା ୧୯୫୦ର ନିର୍ଦ୍ଦେଶ ଅନୁଯାୟୀ ସ୍ବୀକୃତିପ୍ରାପ୍ତ ସମ୍ପ୍ରଦାୟ ମଧ୍ୟରେ ସୀମିତ।

ଖ୍ରୀଷ୍ଟିଆନ କିମ୍ବା ମୁସଲମାନ ସମାଜ କେବେହେଲେ ସାମାଜିକ ଅତ୍ୟାଚାରର ସମ୍ମୁଖୀନ ହୋଇ ନାହାନ୍ତି। କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ ସମ୍ବିଧାନ (ଅନୁସୂଚିତ ଜାତି)ନିର୍ଦ୍ଦେଶ, ୧୯୫୦ ଐତିହାସିକ ତଥ୍ୟ ଉପରେ ଆଧାରିତ। ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଖ୍ରୀଷ୍ଟିଆନ କିମ୍ବା ଇସଲାମ ସମାଜର ସଦସ୍ୟମାନେ ସାମାଜିକ ପଛୁଆ କିମ୍ବା ଅତ୍ୟାଚାରର ସମ୍ମୁଖୀନ ହୋଇନାହାଁନ୍ତି।

ସରକାର ଯୁକ୍ତି ଦର୍ଶାଇଥିଲେ ଯେ ଅତୀତରେ ଅନୁସୂଚିତ ଜାତିମାନଙ୍କର ଇସଲାମ କିମ୍ବା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାର ଅନ୍ୟତମ କାରଣ ହେଉଛି ଯେ ସେମାନେ ଅସ୍ପୃଶ୍ୟତାର ସମସ୍ୟାରୁ ମୁକ୍ତି ଚାହୁଁଥିଲେ। ଅସ୍ପୃଶ୍ୟତା ଖ୍ରୀଷ୍ଟିଆନ କିମ୍ବା ଇସଲାମରେ ଆଦୌ ନାହିଁ।

ସରକାର ସର୍ବୋଚ୍ଚ ଅଦାଲତକୁ କହିଛନ୍ତି ଯେ ଦଳିତ ମୁସଲମାନ ଏବଂ ଖ୍ରୀଷ୍ଟିଆନମାନଙ୍କୁ ଅନୁସୂଚିତ ଜାତି ମାନ୍ୟତା ଦିଆଯାଇପାରିବ କି ନାହିଁ ଏହି ଆୟୋଗ ପରୀକ୍ଷା କରିବ ପାଇଁ ପୂର୍ବତନ ସିଜେଆଇ କେ କେ ବାଲାକ୍ରିଷ୍ଣନଙ୍କ ନେତୃତ୍ୱରେ ଏକ ତିନି ଜଣିଆ କମିଶନ ଗଠନ କରାଯାଇଥିଲା।

Share