ୟୁନିଫାଏକ ଅଟୋମେସନ ସିଷ୍ଟମକୁ ବିରୋଧ: ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଦାରିଙ୍ଗବାଡି, ୬।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତଥା ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ମଙ୍ଗଳବାର ୟୁନିଫାଏଡ଼ ଅଟୋମେସନ ସିଷ୍ଟମ(ୟଏଏସ)କୁ ବିରୋଧ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି। ସେମାନଙ୍କ ଦାବି ଆବଶ୍ୟକୀୟ ଭିଭିଭୂମି ନ ଥାଇ ବିଦ୍ୟାଳୟ ସ୍ତରରେ ନୂତନ ଭାବେ ତରବରିଆ ହୋଇ ୟୁନିଫାଏଡ଼ ଅଟୋମେସନ ସିଷ୍ଟମ ଲାଗୁ କରାଯାଇଥିବା ବ୍ୟବସ୍ଥାକୁ ତୀବ୍ର ବିରୋଧ କରିବା ସହ ଶୀଘ୍ର ପ୍ରତ୍ୟାହାର ନିମନ୍ତେ ଦାବି ଜଣାଇଛନ୍ତି। ସେମାନଙ୍କ ଦାବି ପତ୍ରରେ ଉଲ୍ହେଖ କରିଛନ୍ତି, ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମସ୍ତ ଶିକ୍ଷୟିତ୍ରୀଶିକ୍ଷକମାନଙ୍କୁ ମୋବାଇଲ ପ୍ରଦାନ କରିବା ସହ ମୋବାଇଲ ଡାଟା ପାଇଁ ଆବଶ୍ୟକୀୟ ଅନୁଦାନ ପ୍ରଦାନ ବ୍ୟବସ୍ଥା କରାଯାଉ। ଏଥି ସହ
କନ୍ଧମାଳ ଜିଲାର ସମସ୍ତ ଅଞ୍ଚଳରେ ନେଟୱାର୍କର ସୁବିଧା ନାହିଁ, ଯାହା ଫଳରେ ଏହା କାର୍ଯ୍ୟକାରୀ କରିବା ଏକ କଷ୍ଟସାଧ ବ୍ୟପାର ବୋଲି ଜଣାଇବା ସହ ନେଟ ୱାର୍କର ସୁବନ୍ଦୋବସ୍ତ ହେବା ଅତ୍ୟନ୍ତ ଜରୁରୀ ବୋଲି ଦାବି କରାଯାଇଛି।

ସେହିପରି ବିଦ୍ୟାଳୟରେ ଆବଶ୍ୟକୀୟ ପରିମାଣର ଶିକ୍ଷୟତ୍ରୀ ଶିକ୍ଷକ ଅଭାବ ସହ ପ୍ରତିମାସରେ ଶିକ୍ଷକ ଅବସର ଫଳରେ ବହୁ ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ହୋଇଛି। ଅଳ୍ପ ଶିକ୍ଷୟତ୍ରୀ ଶିକ୍ଷକରେ ବହୁତ କାର୍ଯ୍ୟ ସମ୍ପାଦନ କରିବା କଷ୍ଟସାଧ୍ୟ ହୋଇଛି। ଏଥିସହ ଏକାଧିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଭାବରୁ ଶିକ୍ଷକମାନେ ପ୍ରଧାନଶିକ୍ଷକ କାର୍ଯ୍ୟ ତୁଲାଇ ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ କରିବା ଏକ କଷ୍ଟକର ବ୍ୟପାର ହୋଇଛି। ଏଣୁ ସମସ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବି ପୁରଣ ସହ ଆବଶ୍ୟକୀୟ ଶିକ୍ଷୟତ୍ରୀ ଶିକ୍ଷକ ଯୋଗାଇବା ଅତ୍ୟନ୍ତ ଜରୁରୀ ବୋଲି ଉଲ୍ଲେଖ କରିଛନ୍ତି।

ସେହିପରି ବର୍ତ୍ତମାନ ଶିଶୁ ବାଟିକା ଲାଗୁ ହେବା ଦ୍ବାରା ସେମାନଙ୍କୁ ପଢ଼ାଇବା ପାଇଁ ଯଥେଷ୍ଟ ଶ୍ରେଣୀ ପ୍ରକୋଷ୍ଠର ଅଭାବ ସହ ଶିକ୍ଷକ ଅଭାବ ଏକ ଚିନ୍ତା ଜନକ ସ୍ଥିତି ଯାହର ଆଶୁ ସମାଧାନ ପାଇଁ ଦାବି କରିଛନ୍ତି। ତେଣୁ ଏହି ସବୁ ସମସ୍ୟାର ସମାଧାନ କରିବା ପରେ ନୂତନ ବ୍ୟବସ୍ଥା ପ୍ରତି ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି। ବ୍ଲକର ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଦାରିଙ୍ଗବାଡି ବିଇଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ସଙ୍ଘ ପକ୍ଷରୁ କୁହାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ସଭାପତି କୈଳାଶ ପ୍ରଧାନ, କାର୍ଯ୍ୟକାରୀ ସଭାପତି ନବୀନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।